ସୋର: ଡ୍ୟୁଟି ସାରି ଘରକୁ ଫେରୁଥିବା ସୋର ଉପକାରାଗାରର ୱାର୍ଡେନ୍ ସୁରେନ୍ଦ୍ର ସାମଲଙ୍କୁ ଦିନ ଦ୍ୱିପ୍ରହରେ ଭୁଜାଲିରେ ଆକ୍ରମଣ କରାଯାଇଛି। ମାଣତ୍ରୀ ଛକ ବଳିବାଡ଼ ନିକଟରେ ଏହି ଆକ୍ରମଣ ଘଟିଥିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଘଟଣା ଘଟାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ପ୍ରଥମେ ସୁରେନ୍ଦ୍ରଙ୍କ ନାମ ପଚାରିଥିଲେ। ସେ ସୁରେନ୍ଦ୍ର ବୋଲି ଚିହ୍ନଟ ହେବା ପରେ ହଠାତ୍ ଭୁଜାଲିରେ ତାଙ୍କ ଗୋଡ଼, ହାତ ଓ ପାପୁଲିକୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବାଇକ୍ରେ ଫେରାର ହୋଇଯାଇଥିଲେ।ଗୁରୁତର ଆହତ ସୁରେନ୍ଦ୍ରଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ସୋର ଉପକାରାଗାରରେ ଥିବା କିଛି ଅପରାଧୀଙ୍କ ସହ ଏହି ଆକ୍ରମଣର ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ସୋର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଆକ୍ରମଣର ପ୍ରକୃତ କାରଣ ଓ ଏହା ପଛରେ କିଏ ରହିଛି, ତାହା ଅସ୍ପଷ୍ଟ ରହିଛି।