ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ନାରାୟଣପୁରସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଭଲିବଲ୍ ଖେଳାଳି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୩୩୬ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଗୌତମୀ ଯାନୀ, ସ୍ଥାନୀୟ ସରପଞ୍ଚ ଶ୍ରୀ ବିଶ୍ୱନାଥ ଭୂୟାଁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ କ୍ରିଷ୍ଣା ରାଓ ଓ ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡା ପ୍ରଶିକ୍ଷକ ଶ୍ରୀ କାଳୀପ୍ରସାଦ ପଟ୍ଟନାୟକ ନିରୀକ୍ଷକ ଭାବେ ଯୋଗଦେଇ ଖେଳାଳି ଚୟନ ପ୍ରକ୍ରିୟାର ଉପଯୁକ୍ତ ମୂଲ୍ୟାୟନ କରିଥିଲେ।ଚୟନ ପ୍ରକ୍ରିୟାରେ ଅଭିଜ୍ଞ କ୍ରୀଡ଼ା ଶିକ୍ଷକ ଓ ଚୟନକର୍ତ୍ତାମାନେ ଖେଳାଳିମାନଙ୍କ କ୍ରୀଡା କୌଶଳ, ଶାରୀରିକ କ୍ଷମତା, ଖେଳୁଆଡ ମନୋଭାବ ଓ ପ୍ରଦର୍ଶନକୁ ଆଧାର କରି ଖେଳାଳି ଚୟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ଶବରଙ୍କ ନେତୃତ୍ୱରେ ଏହି ଚୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଚୟନ ହୋଇଥିବା ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଖେଳାଳିମାନେ ଆଗାମୀ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଭଲିବଲ୍ ପ୍ରତିଯୋଗିତାରେ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।ଆସନ୍ତା ଅକ୍ଟୋବର ମାସରେ ଏହି ରାଜ୍ୟସ୍ତରୀୟ ଭଲିବଲ୍ କାର୍ଯ୍ୟକ୍ରମ ନୀଳମଣି ଉଚ୍ଚ ବିଦ୍ୟାଳୟ, ନାରାୟଣପୁରଠାରେ ଅନୁଷ୍ଠିତ ହେବ। ଏହି ଆୟୋଜନ ଗଜପତି ଜିଲ୍ଲାର ଯୁବ କ୍ରୀଡ଼ା ପ୍ରତିଭାର ବିକାଶ ସହ ଭଲିବଲ୍ କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।