ଜୟପାଟଣା,(୨୩/୮): ଜୟପାଟଣା ବ୍ଳକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ପରିସରରେ ଦୁଇ ଦିନ ଧରି ଚାଲିଥିବା ବିଭାଗ ଓ ଦକ୍ଷିଣ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଗତ ୨୧ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ମେଳାରେ କଳାହାଣ୍ଡି ବିଭାଗ ଅନ୍ତର୍ଗତ ସମସ୍ତ ଶିଶୁ ମନ୍ଦିରର କୃତି ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପରେ କଳାହାଣ୍ଡି ଓ କୋରାପୁଟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ଦକ୍ଷିଣ ସମ୍ଭାଗ ସ୍ତରୀୟ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ୩୫ଟି ବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଗଙ୍ଗାଧର ମାଝୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଚିନ୍ତାଧାରା ପାଇଁ ପ୍ରେରଣା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦକ୍ଷିଣ ସମ୍ଭାଗ ସହ-ସଭାପତି ଶ୍ରୀ ଗରିବ ସୁନାନୀ, ଜିଲ୍ଲା ସହ ପ୍ରମୁଖ ଶ୍ରୀ ଶିଶିର ସାହୁ, ବିଦ୍ୟାଳୟ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ମିଶ୍ର ଓ କଳାହାଣ୍ଡି ବିଭାଗ ନିରୀକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ର ମଞ୍ଚାସୀନ ଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀ ବିଶ୍ୱଜୀବନ ପାଢ଼ୀ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ମେଳାକୁ ପରିଚାଳନା ପାଇଁ ୧୩ ଜଣ ପରିଚାଳକ ଏବଂ ବିଚାରକ ଭାବେ ୧୧ ଜଣ ସରକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ମେଳାରେ ୬୦ ଜଣ ଭାଇ, ୪୮ ଜଣ ଭଉଣୀ ସମେତ ମୋଟ ୧୦୮ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଆଚାର୍ଯ୍ୟ, ୨୨ ଜଣ ଆଚାର୍ଯ୍ୟା ଯୋଗ ଦେଇଥିଲେ। ଲଗାଣ ବର୍ଷା ସତ୍ତ୍ୱେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିଲା।ରିପୋର୍ଟ-ସନାତନ ମହାକୁଡ଼।