ସିଜିମାଳି ବଞ୍ଚାଅ’ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ମାନବାଧିକାର ସଂଗଠନ

ଆଦିବାସୀ ଅଧିକାର ସୁରକ୍ଷା ଓ ପେସା (PESA) ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ପାଇଁ ନିବେଦନ; ମୁଖ୍ୟ ଶାସନ ସଚିବଙ୍କୁ କୈଫିୟତ ତଲବ

0

ରାୟଗଡ଼ା, ୨୦ ଅଗଷ୍ଟ (ଭି ଗୌରୀଶଙ୍କର ରାଓ):ସିଜିମାଳି ପାହାଡ଼ ସୁରକ୍ଷା ତଥା ସ୍ଥାନୀୟ ଆଦିବାସୀଙ୍କ ମୌଳିକ ଅଧିକାର ରକ୍ଷା ଦାବିରେ ‘ଜୟନ୍ତୀ ମହାନ୍ଦିଆ ହ୍ୟୁମାନ୍ ରାଇଟ୍ସ ପ୍ରୋଟେକ୍ସନ୍’ ସଂଗଠନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ଙ୍କ ଦ୍ୱାରସ୍ଥ ହୋଇଛି। ଗତ ଏପ୍ରିଲ ମାସରେ ଗ୍ରାମସଭା ଆୟୋଜନ ବେଳେ ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଆଦିବାସୀଙ୍କ ଉପରେ ହୋଇଥିବା ଅତ୍ୟାଚାର ତଥା ହିଂସାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କରି ଏହି ମାମଲା ଦାୟର କରାଯାଇଛି।
​ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଗ୍ରାମସଭା ବେଳେ ରାତି ଅଧରେ ଗ୍ରାମବାସୀଙ୍କ ଉପରକୁ ବୋମା ଓ ଲାଠିମାଡ଼ କରାଯାଇଥିଲା। ଏହି ହିଂସାତ୍ମକ ଆକ୍ରମଣରେ ବହୁ ନିରୀହ ଲୋକ ଗୁରୁତର ଆହତ ହେବା ସହ ଗୃହପାଳିତ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାମାନେ ଚରମ ନିର୍ଯାତନାର ଶିକାର ହୋଇଥିଲେ। ଏପରିକି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରାଯାଇଥିଲା।
​ଗତ ୧୩ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଦାଲତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଘଟଣା ସମ୍ପର୍କରେ ତୁରନ୍ତ କୈଫିୟତ (Explanation) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
​ସଂଗଠନର ପ୍ରମୁଖ ଦାବିସମୂହ:
​ପେସା ଆଇନର କାର୍ଯ୍ୟକାରିତା: ସମ୍ବିଧାନ ପ୍ରଦତ୍ତ ‘ପେସା’ (PESA) ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରି ଗ୍ରାମସଭାର ସ୍ୱାୟତ୍ତ ଅଧିକାରକୁ ପୂର୍ଣ୍ଣ ସମ୍ମାନ ପ୍ରଦାନ।
​ସାମ୍ବିଧାନିକ ମାନ୍ୟତା: ସିଜିମାଳି ସମେତ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ଖଣି ତଥା କମ୍ପାନୀ କାର୍ଯ୍ୟକଳାପରେ ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ଅଧିକାରକୁ ସୁରକ୍ଷା।
​ତୁରନ୍ତ କାର୍ଯ୍ୟାନୁଷ୍ଠାନ: ନିର୍ଯାତିତ ଆଦିବାସୀଙ୍କୁ ଉଚିତ ନ୍ୟାୟ, କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ।

Leave A Reply

Your email address will not be published.