ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ତୃତୀୟ ଦିନରେ ତୀବ୍ର ହୋଇଛି। ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ OLA, Uber ଓ Rapido ଚାଳକମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଛନ୍ତି। ପ୍ରାପ୍ୟ ବୃଦ୍ଧି ସହ ସାମାଜିକ ସୁରକ୍ଷା ଦାବିରେ ଚାଳକମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି।
ଚାଳକମାନଙ୍କ ଅଭିଯୋଗ ଅନୁସାରେ, ଅନଲାଇନ୍ କ୍ୟାବ୍ ଓ ବାଇକ୍ ସେବାରେ ଦୀର୍ଘ ସମୟ କାମ କରିବା ସତ୍ତ୍ୱେ ଆୟ ଅନୁପାତରେ ଖର୍ଚ୍ଚ ବଢ଼ିଚାଲିଛି। ତେଣୁ ପ୍ରାପ୍ୟ ବୃଦ୍ଧି, ଉଚିତ ପାରିଶ୍ରମିକ ଏବଂ ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।ଆନ୍ଦୋଳନ ଯୋଗୁଁ ରାଜଧାନୀର ବିଭିନ୍ନ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ବିଶେଷକରି ରେଲୱେ ଷ୍ଟେସନରୁ ଏୟାରପୋର୍ଟ ଅଭିମୁଖୀ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ମଧ୍ୟ ଗାଡ଼ି ଚଳାଚଳ ଧୀମା ହୋଇଛି।