ବନ୍ୟା ବିପନ୍ନଙ୍କ ପାଖରେ ସାହାରା ହୋଇ ଠିଆ ହେଲେ ସାମାଜିକ କର୍ମୀ ସୁମନ୍ତ ଜେନା

•ବସ୍ତା ଓ ସଦର ବ୍ଲକର ପ୍ରଭାବିତ ପରିବାରଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ

0
ବାଲେଶ୍ୱର, ୧୯/୮(କୃଷ୍ଣ କୁମାର ମହାନ୍ତି): ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ବଡ଼ ବନ୍ୟା ଦେଖାଦେବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ବହୁ ପରିବାରଙ୍କ ଘରେ ବନ୍ୟାଜଳ ପଶିଯିବା ସହ ରୋଷେଇ ଓ ଖାଦ୍ୟପେୟ ଭଳି ମୌଳିକ ସମସ୍ୟା ସୃଷ୍ଟି ହୋଇଛି।
ଏଭଳି ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ପାଖରେ ବିପଦର ବନ୍ଧୁ ଭାବେ ଠିଆ ହୋଇଛନ୍ତି ପ୍ରକୃତିବନ୍ଧୁ ତଥା ପରିବେଶବିତ୍ ଓ ସାମାଜିକ କର୍ମୀ ସୁମନ୍ତ କୁମାର ଜେନା। ନିଜସ୍ୱ ଉଦ୍ୟମରେ ସେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି।
ଶ୍ରୀ ଜେନାଙ୍କ ଉଦ୍ୟମରେ ବସ୍ତା ବ୍ଲକର ବାହାର୍ଦା, କୁଡ଼ିଆ, ବାସୁଚକୁରୀ ଓ ଦୁଧହଂସା ପଞ୍ଚାୟତ ସମେତ ସଦର ବ୍ଲକର ରସୁଲପୁର, ଶ୍ରୀରାମପୁର, କୁରାଢ଼ିହା ଓ ସାର୍ଥା ପଞ୍ଚାୟତର ବନ୍ୟା ପ୍ରଭାବିତ ପରିବାରଙ୍କୁ ଖାଦ୍ୟ ସହାୟତା ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟରେ ଶ୍ରୀ ଜେନାଙ୍କ ନେତୃତ୍ୱରେ ସାମାଜିକ କର୍ମୀ ସୁଜିତ୍ ନାୟକ, ଯୁବ ସମାଜସେବୀ ରାଜେଶ କୁମାର ଗିରି, ସେକ୍ ଜଗୁ, ସମାଜସେବୀ ଗଣେଶ ପାଢ଼ୀ ଏବଂ ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।
ବନ୍ୟାରେ ଅସହାୟ ହୋଇପଡ଼ିଥିବା ପରିବାରଙ୍କ ପାଖରେ ଏଭଳି ସହାୟତା ପହଞ୍ଚାଇଥିବାରୁ ସୁମନ୍ତ କୁମାର ଜେନାଙ୍କ ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
Leave A Reply

Your email address will not be published.