ଗଜପତି, ୧୮.୮(ମନୋଜ ପାଢୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶିଷ୍ଟ ସାହିତ୍ୟିକ, ଐତିହାସିକ ତଥା ଗବେଷକ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ସ୍ମୃତି ସଂସଦର ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ଜଗନ୍ନାଥ ସଂସ୍କୃତି ଗବେଷକ,ପୁରୀ ଡ଼ଃ ସିଦ୍ଧେଶ୍ୱର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ ଆରକ୍ଷୀ ମହାନିରୀକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଜମାଦାର, ସମ୍ମାନୀତ ଅତିଥି ଭାବେ ଗୁରୁକୁଳ ଆଶ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶଶିକାନ୍ତ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ,ସ୍ମୃତି ସଂସଦର ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ଡଃ ରାଜଗୁରୁଙ୍କ ଓଡ଼ିଆ ସାହିତ୍ୟ, ଇତିହାସ, ପ୍ରତ୍ନତତ୍ତ୍ଵ ଓ ଗବେଷଣା କ୍ଷେତ୍ରକୁ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଙ୍କର ଅମୂଲ୍ୟ କୃତି ଓ ଗବେଷଣାମୂଳକ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରାତଃ ସମୟରେ ପୁରୁଣା କୋର୍ଟ ଛକଠାରେ ଥିବା ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପାରଳାର ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶ୍ରୀ ଶଶିଭୂଷଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ଗୁରୁଜୀ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍କଳ ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ।