ଭୁବନେଶ୍ବର :ବଲାଙ୍ଗିରରୁ ରଣ୍ଡାରୁ ବ୍ୟବସାୟୀ ଅପହରଣ ମାମଲାରେ ଟ୍ବିଷ୍ଟ। ବଲାଙ୍ଗିର ଏସପି କହିଲେ ମିଶୁନି ଅପହୃତ ଓ ଅପହରଣକାରୀଙ୍କ ବୟାନ। ଉଭୟଙ୍କୁ କରାଯିବ ମୁହଁମୁହିଁ ଜେରା। ଅପହରଣର ୨୪ ଘଣ୍ଟା ଭିତରେ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ।
ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ। ୬ରୁ ୭ ଜଣ ବ୍ୟକ୍ତି ଅପହରଣ କରିଥିବା ବେଳେ କଣ୍ଟାମାଳର ମାଷ୍ଟରମାଇଣ୍ଡ କ୍ଷୀତିଶ ଚନ୍ଦ୍ର ସାହୁକୁ ବାନ୍ଧିଛି ପୋଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି। ତେବେ ବ୍ୟବସାୟିକ ଶତ୍ରୁତାରୁ ଅପହରଣ କରାଯାଇଥିବା ପୋଲିସ ସନ୍ଦେହ କରୁଛି।
ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୬ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ନରେନ୍ଦ୍ରଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ବଲାଙ୍ଗିର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମୋବାଇଲ୍ ଫୋନର ଲୋକେସନ୍ ଟ୍ରାକ୍ କରି ତଦନ୍ତ କରିଥିଲା। ଗତକାଲି ଖଣ୍ଡଗିରି ଥାନା ଅଞ୍ଚଳରୁ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ।