ଜଳକାରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା : ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବିଧାୟିକା ସୁବାସିନୀ ଜେନା 

•ତୁରନ୍ତ ରିଲିଫ୍ ଓ ସହାୟତା ପାଇଁ ଦେଲେ ନିର୍ଦ୍ଦେଶ

0
ବାଲେଶ୍ୱର, ୧୪/୦୮(କୃଷ୍ଣ କୁମାର ମହାନ୍ତି): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ବ୍ଲକରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବ୍ଲକର ପ୍ରାୟ ୧୦ ରୁ ୧୨ଟି ପଞ୍ଚାୟତର ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପରିପ୍ରେକ୍ଷୀରେ ବସ୍ତା ବିଧାୟିକା ସୁବାସିନୀ ଜେନା ଶୁକ୍ରବାର ଦିନ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ତୃଣମୂଳ ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖସୁଖ ବୁଝିଛନ୍ତି।
ପରିଦର୍ଶନ କ୍ରମରେ ବିଧାୟିକା ପ୍ରଥମେ ଦୁଧହଂସା ପଞ୍ଚାୟତର ଗୋଠଗଡ଼ିଆ, ଆଦିବାସୀ ସାହି ଓ ନଳବାହାର ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ବିପନ୍ନଙ୍କ ପାଇଁ ତୁରନ୍ତ ରନ୍ଧାଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସେ ମଥାନୀ ପଞ୍ଚାୟତର ବନ୍ୟାପ୍ଳାବିତ ଗ୍ରାମଗୁଡ଼ିକ ଏବଂ ସଦାନନ୍ଦପୁର ପଞ୍ଚାୟତର ଗୁଣ୍ଡୁରିସାହି ଅଞ୍ଚଳ ବୁଲି ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ଶୁଣିଥିଲେ ଏବଂ ସେଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।
ବନ୍ୟା ସମୟରେ ଲୋକଙ୍କ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ବିଧାୟିକା ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବିଧାୟିକା ସୁବାସିନୀ ଜେନାଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ଜନପ୍ରତିନିଧି, ବରିଷ୍ଠ ନେତୃବୃନ୍ଦ, ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।
Leave A Reply

Your email address will not be published.