ଶିକ୍ଷିତ ଯୁବତୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ଭାବବିହ୍ୱଳ ହେଲେ ବିଧାୟକ

କାଦୁଅ ରାସ୍ତାରେ ୨ କିମି ଚାଲି ଚାଷ ଜମିରେ ପହଞ୍ଚିଲେ ବିଧାୟକ।

0

ଗଜପତି (ମନୋଜ ପାଢ଼ୀ) :ଚାଷୀ, ମୂଲିଆ ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ବୁଝିବା ପାଇଁ କାଦୁଅ ରାସ୍ତାକୁ ଖାତିର ନକରି ଚାଷ ଜମିରେ ପହଞ୍ଚିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତ ଅନ୍ତର୍ଗତ ଗୁଟିପାଡୁ ଗ୍ରାମକୁ ଗସ୍ତ ସମୟରେ ଏହି ଭାବପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା।
ଗ୍ରାମର ଚାଷ ଜମିରେ ତଳି ରୁଆ କାମ ଚାଲିଥିବା ଖବର ପାଇ ବିଧାୟକ ସେଠାକୁ ଯିବାକୁ ବାହାରିଥିଲେ। ରାସ୍ତାରେ ଅତ୍ୟଧିକ କାଦୁଅ ଓ ବର୍ଷାଜନିତ ପରିସ୍ଥିତି ଥିବା ସତ୍ତ୍ୱେ ସେ ପ୍ରାୟ ୨ କିଲୋମିଟର କାଦୁଅ ରାସ୍ତାରେ ପାଦରେ ଚାଲି ଚାଷ ଜମିରେ ପହଞ୍ଚିଥିଲେ। ପଥରେ ସାପ ଭଳି ବିପଦ ଥିବା ସତ୍ତ୍ୱେ ମଧ୍ୟ ସେ ଭୟଭୀତ ନହୋଇ ଚାଷୀମାନଙ୍କ ନିକଟକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ।
ଚାଷ ଜମିରେ ତଳି ରୁଆ କାମ କରୁଥିବା ଜଣେ ଶିକ୍ଷିତ ଯୁବତୀଙ୍କ ଉପରେ ବିଧାୟକଙ୍କ ନଜର ପଡ଼ିଥିଲା। ସେ ଯୁବତୀଙ୍କୁ ଡାକି ତାଙ୍କ ଶିକ୍ଷା ସମ୍ପର୍କରେ ପଚାରିଥିଲେ। ଯୁବତୀ ଜଣକ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କହିଥିଲେ।
ଶିକ୍ଷାରେ ଆଗକୁ ବଢ଼ିଥିବା ଜଣେ ଯୁବତୀ ଚାଷକୁ ନିଜର କାମ ଭାବେ ଗ୍ରହଣ କରିବା ସହ ମାଟି ସହ ଜଡ଼ି ରହିଥିବା ଦେଖି ବିଧାୟକ ଖୁସି ହେବା ସହ ଭାବବିହ୍ୱଳ ହୋଇଥିଲେ। ଚାଷ କରିବା କୌଣସି ଛୋଟ କାମ ନୁହେଁ, ବରଂ ଚାଷୀ ଓ ମାଟି ପ୍ରତି ସମ୍ମାନର ପ୍ରତୀକ ବୋଲି ସେ ଯୁବତୀଙ୍କୁ ଉତ୍ସାହିତ କରିଥିଲେ।
“ଶିକ୍ଷିତ ହୋଇ ମଧ୍ୟ ଚାଷ କାମ କରିବାକୁ ଲାଜ ନକରି ଗର୍ବର ସହ ମାଟିରେ କାମ କରୁଛନ୍ତି—ଏହା ନିଶ୍ଚିତ ଭାବେ ଅନ୍ୟ ଯୁବପିଢ଼ି ପାଇଁ ଏକ ପ୍ରେରଣା” ବୋଲି ବିଧାୟକ କହିବା ସହ ଯୁବତୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଆଗାମୀ ଦିନରେ ବିଧାୟକଙ୍କ କାର୍ଯ୍ୟାଳୟକୁ ଆସି ସାକ୍ଷାତ କରିବାକୁ ମଧ୍ୟ ସେ ତାଙ୍କୁ କହିଥିଲେ।
ଏହି ଘଟଣା ଉପସ୍ଥିତ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ସୃଷ୍ଟି କରିଥିଲା। ଶିକ୍ଷା ଓ ଚାଷ—ଦୁଇଟିକୁ ସମାନ ଭାବେ ସମ୍ମାନ ଦେଇ ଯୁବପିଢ଼ି ଆଗକୁ ବଢ଼ିଲେ ଗ୍ରାମୀଣ ଅର୍ଥନୀତି ଆହୁରି ମଜବୁତ ହୋଇପାରିବ ବୋଲି ଏହି ଘଟଣା ଏକ ସକାରାତ୍ମକ ବାର୍ତ୍ତା ଦେଇଛି।

ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା ଏବଂ ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.