ଉମରକୋଟ (୧୦/୮): ନବରଂଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଭାରତୀ କଳା ନିକେତନ ଦ୍ବାରା ଝରିଗାଁ ପଞ୍ଚାୟତ ସମିତି ସଭାଗୃହରେ “ଭାରତୀ କଳା ନିକେତନ ସାହିତ୍ଯ ଓ ସାଂସ୍କୃତିକ ମହୋତ୍ସବ-୨୦୨୬”ସଫଳତା ସହ ଆୟୋଜିତ ହୋଇଯାଇଛି ।ବହୁ ସାହିତ୍ଯପ୍ରେମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ଯକ୍ରମର ପ୍ରଥମ ଅଧିବେଶନରେ ନାରୀକବି ସଂଗୀତା ମୂର୍ତ୍ତିଙ୍କ “ଅମ୍ଳାନ ସ୍ମୃତି”କବିତା ସଂକଳନ ପାଠକାର୍ପିତ ହୋଇଥିଲା ।ଏହି ଅଧିବେଶନରେ ଅଧ୍ଯାପିକା ମଧୁସ୍ମିତା ମହାରଣା ସଭାପତିତ୍ବ କରିଥିବା ସ୍ଥଳେ ଝରିଗାଁ ତହସିଲଦାର ସୁମନ୍ତ ପାତ୍ର ମୁଖ୍ଯ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ।ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ସାହିତ୍ଯ ଏକାଡେମୀ ସଦସ୍ଯ ବଲ୍ଲଭ ରାଉତ,ବରେଣ୍ଯ ଅତିଥି ଭାବେ ସାହିତ୍ଯିକ ଡାକ୍ତର ସୁରେନ୍ଦ୍ରନାଥ ଦାଶ,ସମ୍ମାନିତ ଅତିଥି ଭାବେ ଶ୍ରୀନିବାସ ପଟ୍ଟନାୟକ,ମୁଖ୍ଯବକ୍ତା ଭାବେ ଅଧ୍ଯାପକ ପରୀକ୍ଷିତ ସାହୁ ଏବଂ ସମୀକ୍ଷକ ଭାବେ ପ୍ରଫୁଲ କୁମାର ରାଉତ ଯୋଗଦେଇ ଅମ୍ଳାନ ସ୍ମୃତି କବିତା ସଂକଳନର ଭାବ ତଥା ତଥ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ ।



ସଂଗୀତା ମୂର୍ତ୍ତିଙ୍କ ଦିବଗଂତ ସ୍ବାମୀ ଏସ ଅଜୟ ମୂର୍ତ୍ତିଙ୍କ ସ୍ମୃତି ଉଦ୍ଦେଶ୍ଯରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଅଧ୍ଯାପକ ଗୋପାଳ ମହାରଣା କର୍ଯ୍ଯକ୍ରମର ସଂଯୋଜନା କରିଥିଲେ ।ଦ୍ବିତୀୟ ଅଧିବେଶନ “ଅଣୁଗଳ୍ପ ପାଠୋତ୍ସବ”ରଖାଯାଇଥିଲା ।ଏଥିରେ ପଞ୍ଚଚାଳଶି ଜଣ ଗାଳ୍ଳିକ ସ୍ବରଚିତ ଗଳ୍ପ ପାଠ କରିଥିଲେ ।ସହଦେବ ପରିଡାଙ୍କ ସଭାପତିତ୍ବରେ ପରିଚାଳିତ ଏହି ଅଧିବେଶନରେ ମୁଖ୍ଯ ଅତିଥି ଭାବେ ଶ୍ରୀ ତିରୁପତି ବାଲାଜୀ ସାହୁ,ମୁଖ୍ଯବକ୍ତା ଭାବେ ଶ୍ରୀ ବିରେନ୍ଦ୍ର କୁମାର ପାଢୀ,ସମ୍ମାନିତ ଅତିଥି ଶ୍ରୀ ରାମ ପାତ୍ର,ଗଳ୍ପ ସଂଯୋଜିକା ଭାବେ ସ୍ବାଗତିକା ସାହୁ ଏବଂ ସ୍ବର୍ଣ୍ଣଲତା ପଟ୍ଟନାୟକ ,ସଂଚାଳକ ଭାବେ ସାଗର କୁମାର ପରିଡା ମଞ୍ଚାସୀନ ଥିଲେ ।ତୃତୀୟ ଅଧିବେଶନ ସାଂସ୍କୃତିକ ନୃତ୍ଯ ଆସର ।ଏଥିରେ ବିଭିନ୍ନ ବିଦ୍ଯାଳୟର ତେର ଗୋଟି ସାଂସ୍କୃତିକ ଦଳ ନୃତ୍ଯ ପରିବେଷଣ କରିଥିଲେ ।ଜଗଦୀଶ ପଟ୍ଟନାୟକ ଏବଂ ସୁଶୋଭିତା ମେରିଲିନ ତୁରକ୍ ଙ୍କ ଦ୍ବାରା ନୃତ୍ଯ ସଂଯୋଜନା କରାଯାଇଥିଲା ।ତୃତୀୟ ଅଧିବେଶନରେ ପ୍ରଭାସିନୀ ମହାନ୍ତି,ବାସନ୍ତି ଲତା ଜେନା,ସ୍ବପ୍ନା ମହାନ୍ତି,ଉର୍ମିଳା ମହାପାତ୍ର,ସନ୍ତୋଷ କୁମାର ଖମାରି,ପ୍ରମୋଦ ମହାପାତ୍ର ଓ ଜାହ୍ନବୀ ପଣ୍ଡା ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ।ପ୍ରତି ନୃତ୍ଯଶିଳ୍ପୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ମହୋତ୍ସବରେ ଅଣୁଗଳ୍ପ ପଠନକୁ ସ୍ଥାନ ଦେଇଥିବାରୁ ସମସ୍ତେ ଖୁସିବ୍ଯକ୍ତ କରିଥିଲେ ।ନିର୍ବାଚିତ ଅଣୁଗଳ୍ପକୁ ନେଇ ଆଗାମୀ ଦିନରେ ଏକ ଗଳ୍ପ ସଂକଳନ ପ୍ରକାଶ କରାଯିବ ବୋଲି ଅନୂଷ୍ଠାନର ସାଧାରଣ ସଂପାଦକ ଗୋପାଳ ମହାରଣା ସୂଚନା ପ୍ରଦାନ କରିଥିଲେ ।ରିପୋର୍ଟ-ସନାତନ ମହାକୁଡ଼