ଅନୁଷ୍ଠିତ ହେଲା ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ ଶିବିର : ଯୌତୁକମୁକ୍ତ ସମାଜ ଗଠନ ପାଇଁ ସଚେତନତା ଜରୁରୀ, କହିଲେ ଅତିଥି 

0
ବାଲେଶ୍ୱର, ୬/୮ (କୃଷ୍ଣ କୁମାର ମହାନ୍ତି): ମହିଳାଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଯୌତୁକ ନିର୍ଯାତନା ରୋକିବା ଲକ୍ଷ୍ୟରେ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ନାରୀଙ୍କ ସୁରକ୍ଷା ଓ ନିରାପଦ ଜୀବନଯାପନ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏଥିରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୌତୁକ ପ୍ରଥା ନିରାକରଣ ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଅଧ୍ୟକ୍ଷତା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସହ ‘ଯୌତୁକ ନିଷେଧ ଅଧିନିୟମ-୧୯୬୧’ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଉପ-ଆରକ୍ଷୀ ଅଧିକ୍ଷକ ନିର୍ମଳା ଗୋଚ୍ଛାୟତ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଓକିଲ ଗଣେଶ୍ୱର ରାଉତ ସଂଶାଧନ ବିଶେଷଜ୍ଞ ଭାବେ ଯୋଗଦେଇ ଯୌତୁକ ନିଷେଧ ଆଇନର ବିଭିନ୍ନ ଦିଗ, ଆଇନଗତ ସୁରକ୍ଷା ଏବଂ ମହିଳାମାନଙ୍କ ଅଧିକାର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ (ମମତା) ବାମଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱରେ ପ୍ରବୋଧ କୁମାର ମଲ୍ଲିକ, ପ୍ରୋଟେକ୍ସନ ଅଫିସର ଯୁଥିକାରାଣୀ ରାୟ, ପ୍ରୋଗ୍ରାମ ଅଫିସର ଗିରିବାଳା ମହନ୍ତ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗାହିର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ତାଲିମ ଶିବିରରେ ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ମହିଳା ସଶକ୍ତିକରଣ କାର୍ଯ୍ୟାଳୟର କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଓନ୍-ଷ୍ଟପ୍ ସେଣ୍ଟର, ଶକ୍ତି ସଦନର କର୍ମଚାରୀ, ଧର୍ମଗୁରୁ, ସ୍କୁଲ ଛାତ୍ରୀ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ପରିଶେଷରେ ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଯୌତୁକ ପ୍ରଥା ନିରାକରଣ ଓ ମହିଳା ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି ଦିଗରେ ଏହି ତାଲିମ ଶିବିର ଫଳପ୍ରଦ ହୋଇଥିବା ମତ ପ୍ରକାଶ ପାଇଥିଲା।
Leave A Reply

Your email address will not be published.