ବାଲେଶ୍ୱରର ବିକାଶ ପ୍ରସଙ୍ଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

0
ବାଲେଶ୍ୱର, ୬/୮ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ ଓ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ନେଇ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତକାର ସମୟରେ ବାଲେଶ୍ୱର ଜିଲ୍ଲାର ବିକାଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଜିଲ୍ଲାର ଭିତ୍ତିଭୂମିର ଉନ୍ନତି, ଜନକଲ୍ୟାଣମୂଳକ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଏବଂ ଚାଲୁଥିବା ଓ ପ୍ରସ୍ତାବିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୀଘ୍ର ରୂପାୟନ ସମ୍ପର୍କରେ ଶ୍ରୀ ଜେନା କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାଲେଶ୍ୱରର ବିକାଶ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଗୁରୁତ୍ୱର ସହ ଅବଲୋକନ କରିବା ସହ ଜନହିତକର ପଦକ୍ଷେପଗୁଡ଼ିକ ପ୍ରତି ସକାରାତ୍ମକ ମନୋଭାବ ପ୍ରକାଶ କରିଥିବା ଜଣାପଡ଼ିଛି।
ଏହି ଅବସରରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମଧ୍ୟ ଉପସ୍ଥିତ ଥିଲେ। ବାଲେଶ୍ୱରର ଉନ୍ନୟନ ଓ ଜନସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଏହି ଆଲୋଚନାକୁ ଜିଲ୍ଲା ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।
Leave A Reply

Your email address will not be published.