ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ନାବାର୍ଡ ଅବସରପ୍ରାପ୍ତ କଲ୍ୟାଣ ସଂଘ ଏବଂ ଯୁବବିକାଶ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

0
ବାଲେଶ୍ଵର ୬/୮(କୃଷ୍ଣ କୁମାର ମହାନ୍ତି) : ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଥିବା ଉଦଳା ବ୍ଲକ୍ ଅନ୍ତର୍ଗତ ବଡସିଙ୍ଗାରିଆ ଅଞ୍ଚଳର ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ନାବାର୍ଡ କର୍ମଚାରୀ କଲ୍ୟାଣ ସଂଘ ଏବଂ ଯୁବବିକାଶ ଫାଉଣ୍ଡେସନ୍।
ଓଡ଼ିଶାର ‘କ୍ଲଥ୍ ମ୍ୟାନ୍’ ଭାବେ ପରିଚିତ ଗଗନ ପାଇଟାଳ, ପୂର୍ବତନ ନାବାର୍ଡ ଅଧିକାରୀ ଆଦିତ୍ୟ ରଥ ଏବଂ ସ୍ୱେଚ୍ଛାସେବୀ ଶଶିକାନ୍ତ ସ୍ୱାଇଁ ସଂଘ ତରଫରୁ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଟର୍ଚ୍ଚ,  ପୋଷାକ, ବିସ୍କୁଟ୍,  ଜରିପାଲ, ଜଳ ବିଶୋଧନ ପାଇଁ ହାଲୋଜେନ ଟାବଲେଟ୍ ଆଦି ବିତରଣ କରିଥିଲେ।
ନାବାର୍ଡ କର୍ମଚାରୀ କଲ୍ୟାଣ ସଂଘ ତରଫରୁ ଆୟୋଜିତ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟରେ ସମସ୍ତ କର୍ମଚାରୀଙ୍କ ଅନୁଦାନରେ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରାଯାଇଥିଲା।
ବିତରଣ ଦଳ ବଡସିଙ୍ଗାରିଆ ଅଞ୍ଚଳର ସୁଖୁଆ ସାହି, କଲୋନି ସାହି, ମାରଙ୍ଗପାଲ, ଗଡ଼ିସାହି ଏବଂ ମଝିସାହି ସମୁଦାୟ ଗ୍ରାମ ପରିଦର୍ଶନ କରି ପ୍ରତ୍ୟେକ ପରିବାରକୁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ। ପାଣି ଘେରରେ ରହିଥିବା ଲୋକଙ୍କ ପାଇଁ ଏହି ସାମଗ୍ରୀ ବେଶ ଉପଯୋଗୀ ହୋଇଥିବା ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି।
ଏହି ଅବସରରେ ଗଗନ ପାଇଟାଳ କହିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନବସେବା ହିଁ ପ୍ରକୃତ ଧର୍ମ। ନାବାର୍ଡ କର୍ମଚାରୀମାନେ ଏକାଠି ହୋଇ ସଂଗ୍ରହ କରିଥିବା ସାମଗ୍ରୀ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ।
ଏହି କାର୍ଯ୍ୟକ୍ରମରେ ‘ଯୁବ ବିକାଶ’ର ଗୋବିନ୍ଦ ଦଳାଇ, ଅସିତ ଦଳାଇ, ଭାଗ୍ୟଲକ୍ଷ୍ମୀ ରାଉତ, ସୁବାଷ ଖୁଣ୍ଟିଆ, ବିନତି ପରିଡା, ଜିତେନ୍ଦ୍ର ମହାନ୍ତ, ଚୁମୁକି ମାଝୀ, ସଂଯୁକ୍ତା ବେହେରା, ରାଖାଲ ମାଇତି ପ୍ରଭୃତି ସହଯୋଗ କରିଥିଲେ।
Leave A Reply

Your email address will not be published.