ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରକ୍ତଦାନ ଆୟୋଜକଙ୍କୁ ଦିଆଗଲା ସମ୍ବର୍ଦ୍ଧନା

0
ବାଲେଶ୍ୱର, ୨/୮ (କୃଷ୍ଣ କୁମାର ମହାନ୍ତି): ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅସଂଖ୍ୟ ରୋଗୀଙ୍କ ଜୀବନ ରକ୍ଷା କରିବା ସହ ସମାଜରେ ମାନବିକତା ଓ ସେବାଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରକ୍ତଦାନ ଶିବିରଗୁଡ଼ିକୁ ସଫଳ ଭାବେ ଆୟୋଜନ କରୁଥିବା ବିଭିନ୍ନ ସଂଗଠନର ଆୟୋଜକମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକ ସଭା  ଓଡ଼େଶା ଭବନରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ସଦର ବାଲେଶ୍ୱର, ବାହାନଗା ଓ ରେମୁଣା ବ୍ଲକର ରକ୍ତଦାନ କ୍ଷେତ୍ରରେ ସକ୍ରିୟ ଥିବା ଆୟୋଜକ, ସ୍ୱେଚ୍ଛାସେବୀ ଓ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଏସ୍‌.ଡି.ପି.ଓ. ପ୍ରଜ୍ଞା ମହାନ୍ତି ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ ଯେ, ରକ୍ତର କୌଣସି କୃତ୍ରିମ ବିକଳ୍ପ ନଥିବାରୁ ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ସ୍ୱଇଚ୍ଛାରେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିବା ଆବଶ୍ୟକ। ରକ୍ତଦାନ ମାଧ୍ୟମରେ ଜଣେ ଅଜଣା ମଣିଷର ଜୀବନ ବଞ୍ଚାଇବା ହିଁ ସର୍ବୋତ୍ତମ ମାନବ ସେବା ବୋଲି ସେ ମତ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ସଂଘର ସାଧାରଣ ସମ୍ପାଦକ ଇଂ. ହୃଷୀକେଶ ସାହୁ, ଉପସଭାପତି ସୁବ୍ରତ କୁମାର ରଣା, ସୁମନ୍ତ କୁମାର ଜେନା ଓ ଉପଦେଷ୍ଠା  ଖିତୀଶ୍ୱର୍ ଦାଶ ପ୍ରମୁଖ ଯୋଗଦେଇ ରକ୍ତଦାନ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ଦେବାଶିଷ ପାଣି, ରାଜେଶ ଗିରି, କୋଷାଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ, ସାଇରୁଲ ହକ୍, ଭଗବାନ ମହାନ୍ତି, ଜଗନ୍ନାଥ ଦତ୍ତ ପରିଚାଳନା କରିଥିଲେ। ସମାରୋହରେ ସଦର ବ୍ଲକ ଓ ବାଲେଶ୍ୱର ପୌରପରିଷଦ ଅଞ୍ଚଳର ୭୦ ଜଣ, ରେମୁଣା ବ୍ଲକର ୩୨ ଜଣ ଏବଂ ବାହାନଗା ବ୍ଲକର ୧୦ ଜଣ ରକ୍ତଦାନ ଆୟୋଜକଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା।
ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ଲକ୍ଷ୍ମୀଧର ବାରିକ ସମସ୍ତ ଅତିଥି, ସମ୍ବର୍ଦ୍ଧିତ ଆୟୋଜକ, ସ୍ୱେଚ୍ଛାସେବୀ ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ୯ ତାରିଖରେ ଏକ ରକ୍ତଦାନ ଶିବିର ଭେନୀୟା ଠାରେ ଅନୁଷ୍ଠିତ ହେବ।
Leave A Reply

Your email address will not be published.