ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କରେ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏଥିରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଚିବ ଏବଂ ଉଚ୍ଚ ପଦାଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ଓଡିଶାର ଅଧିକାର, ଜନସାଧାରଣଙ୍କ ସ୍ୱାର୍ଥ ଓ ଚାଷୀକୂଳର ହିତ ଏବଂ ପରିବେଶର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମାଧାନର ପନ୍ଥା ନିର୍ଦ୍ଧାରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଆରୋପ କରିଥିଲେ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଉଭୟ ରାଜ୍ୟ ମଧ୍ୟରେ ସହଯୋଗ, ସମନ୍ୱୟ ଓ ଗଠନମୂଳକ ଆଲୋଚନା ଜରିଆରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ ଓ ସନ୍ତୋଷଜନକ ସମାଧାନ କରିବା ପାଇଁ ଏହି ବୈଠକରେ ଉଭୟ ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।
କେନ୍ଦ୍ର ଜଳ କମିଶନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ୩ ମାସ ମଧ୍ୟରେ ଏହାର ରିପୋର୍ଟ ମହାନଦୀ ଟ୍ରିବ୍ୟୁନାଲକୁ ପ୍ରଦାନ କରିବ।
ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ସହିତ ସମସ୍ତଙ୍କ ସହଯୋଗରେ ଏହାର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶା ପ୍ରକାଶ କରିଛନ୍ତି।