ଭୁବନେଶ୍ୱର : ସମଗ୍ର ଦେଶରେ ଓଡ଼ିଶାର ନାମ ରୋଶନ କରିଥିବା ଚଳିତ ବର୍ଷର ‘ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ସରକାରୀ ବାସଭବନରେ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଏହି ଅସାଧାରଣ କୃତିତ୍ୱ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।
ଆଜି ଜ୍ୟୋତିର୍ମୟୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କୁ ଭେଟିବା ସହ ନିଜ ଜିତିଥିବା ‘ଇଣ୍ଡିଆନ୍ ଆଇଡଲ୍ ଟ୍ରଫି’ ପ୍ରଦର୍ଶନ କରିଥିଲେ। ଏହି ବିଜୟ ପଛରେ ଥିବା ତାଙ୍କର କଠିନ ପରିଶ୍ରମ, ସାଧନା ଏବଂ ଅଧ୍ୟବସାୟ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଏବଂ ମାତା ଗୌରୀ ନାୟକ ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ:
“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିଜର ଅସାଧାରଣ ପ୍ରତିଭା ଓ କଠିନ ସାଧନା ବଳରେ ଜାତୀୟ ସ୍ତରରେ ବିଜେତା ହୋଇ ଜ୍ୟୋତିର୍ମୟୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ସେ ଏକ ବଡ଼ ପ୍ରେରଣା।”
ହା ସହିତ ଜ୍ୟୋତିର୍ମୟୀଙ୍କ ଏହି ସଙ୍ଗୀତ ଯାତ୍ରାରେ ରାଜ୍ୟବାସୀ ବିପୁଳ ଉତ୍ସାହର ସହ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର କଳା ପ୍ରତିଭାକୁ ଜାତୀୟ ସ୍ତରରେ ଏହି ସଫଳତା ଆହୁରି ଉଜ୍ଜ୍ୱଳ କରିଛି ବୋଲି ସେ ମତ ଦେଇଛନ୍ତି।
କେବଳ ମଞ୍ଚରେ ନୁହେଁ, ଜ୍ୟୋତିର୍ମୟୀ ନିଜ ସଙ୍ଗୀତ ପ୍ରତିଭାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବିନିଯୋଗ କରୁଛନ୍ତି। ସେ ରାଜ୍ୟର ଅନେକ କ୍ୟାନ୍ସର ହସ୍ପିଟାଲରେ ‘ମ୍ୟୁଜିକ୍ ଥେରାପି’ (Music Therapy) ପ୍ରୟୋଗ କରି ରୋଗୀମାନଙ୍କ ମାନସିକ ଓ ଶାରୀରିକ କଷ୍ଟ ଲାଘବ କରିବାରେ ସହାୟତା କରୁଛନ୍ତି।
ତାଙ୍କର ଏହି ବିରଳ ପ୍ରତିଭା ଓ ସେବା ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସାରା ରାଜ୍ୟ ତଥା ଦେଶର ଏକ ‘ଯୁବ ଆଇକନ୍’। ସଙ୍ଗୀତକୁ ରୋଗୀଙ୍କ ସେବା କ୍ଷେତ୍ରରେ ବ୍ୟବହାର କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ। ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭାଙ୍କ ନିଷ୍ଠା ଓ ଉଦ୍ୟମ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାର୍ଥକ କରିବ।