ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଚାରିଆଡେ ଖାଲି ପାଣି ଆଉ ପାଣି। ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ମହାନଦୀ ଅବାହିକାରେ ବନ୍ୟା ଆଶଙ୍କା ନାହିଁ। ବୈତରଣୀ ପାଇଁ ଚାନ୍ଦବାଲି, ଧାମନଗର ଓ ଯାଜପୁର ପ୍ରଭାବିତ ହେବ। ଜଳକା ପାଇଁ ବସ୍ତା ଓ ବାଲେଶ୍ୱର ସଦର ପ୍ରଭାବିତ ହେବ। ସେପଟେ ଫୁଲୁଛି ମହାନଦୀ। ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରବାହିତ ହେଉଛି ବନ୍ୟାପାଣି। ଦିନ ୧୧ଟା ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ ୩୭ ହଜାର ୫୮୫ କ୍ୟୁସେକ ଜଳ ପ୍ରବାହିତ ହେବ। ଆଜି ମୁଣ୍ଡଳୀ ଦେଇ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି।
ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୪୭.୨ ମିିମି ବର୍ଷା ହୋଇଛି। ଯାହା ସ୍ୱଭାବିକ ଠାରୁ ଅଧିକ। ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ହୀରାକୁଦ ଡ୍ୟାମର ମାତ୍ର ୨ଟି ଗେଟ୍ ଖୋଲା ରହିଛି। ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, ଚିନ୍ତାର କାରଣ ନାହିଁ। ପ୍ରଭାବିତ ହେବାକୁ ଥିବା ଜିଲା ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି। ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଛି। ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ହେଉଛି। ଜଗତସିଂହପୁର ଜିଲାର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ତିର୍ତ୍ତୋଲ-କୁଜଙ୍ଗରେ ବନ୍ୟା ପାଣି ପଶିଛି। ୨୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.