ଗଜପତି (ମନୋଜ ପାଢ଼ୀ): ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଗଜପତି ଜିଲ୍ଲାର ଡିଏଫ୍ଓ ସଂଗ୍ରାମକେଶରୀ ବେହେରା ଆଜି(ସୋମବାର) ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଆଜି ଆତ୍ମସମର୍ପଣ କରିବା ପରେ ପ୍ରଥମେ ଏସଡିଜେଏମ୍ କୋର୍ଟେରେ ଜାମିନ ନିମନ୍ତେ ଆବେଦନ କରିଥିଲେ। ତେବେ ମାଜିଷ୍ଟ୍ରେଟ୍ ଗାୟତ୍ରୀ ମିଶ୍ର ଆବେଦନକୁ ଖାରଜ କରିଥିଲେ। ପରେ ସେ ଜିଲ୍ଲା ଓ ଦୌରାଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ସେଠାରେ ମଧ୍ୟ ଜାମିନ ମିଳିନଥିଲା। ଫଳରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି ,

ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ଗୁରୁତର ଭାବେ ପୋଡ଼ି ଯାଇଥିଲେ। ପରଦିନ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୋମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ପ୍ରଥମେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲା। ପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପ୍ରାୟ ୮୦ ଜଣଙ୍କ ବୟାନ, କଲ୍ ଡିଟେଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ରିପୋର୍ଟ ଓ ଲାଇ ଡିଟେକ୍ସନ୍ ଟେଷ୍ଟ ଆଦିକୁ ଆଧାର କରି ତଦନ୍ତ ଶେଷ କରିଥିଲା।
କ୍ରାଇମ୍ବ୍ରାଞ୍ଚର ତଦନ୍ତରେ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ସୋମ୍ୟରଞ୍ଜନଙ୍କ ସନ୍ଦିଗ୍ଧ ମୃତ୍ୟୁ ନିମନ୍ତେ ପ୍ରତ୍ୟକ୍ଷ ସମ୍ପୃକ୍ତିର କୌଣସି ପ୍ରମାଣ ମିଳିନଥିବା ଓ ଘଟଣାଟି ଏକ ଦୁର୍ଘଟଣା ବୋଲି ଦର୍ଶାଇଥିଲା। ସେହି ସମୟରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତେବେ ସୋମ୍ୟରଞ୍ଜନଙ୍କ ପିତାଙ୍କ ପକ୍ଷରୁ ଦାଖଲ ପ୍ରତିବାଦ ଆବେଦନ (ପ୍ରୋଟେଷ୍ଟ ପିଟିସନ୍) ଉପରେ ବିଚାର କରି ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ପୂର୍ବତନ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ବିଚାର ଚାଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଅଭିଯୁକ୍ତମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ତଳ ଅଦାଲତରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣିରେ ବାରମ୍ବାର ଅନୁପସ୍ଥିତ ରହିବାରୁ ୨୦୨୫ ଅଗଷ୍ଟ ୧୪ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ଏହି ଅବସରରେ ସଂଗ୍ରାମ କେଶରୀ ବେହେରା ପ୍ରଥମେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ସେଠାରୁ ଆଶ୍ୱସ୍ତି ନମିଳିବା ପରେ ୨୦୨୬ ଫେବୃଆରି ୨ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଅନୁମତି ଆବେଦନ ଦାଖଲ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟରୁ ମଧ୍ୟ କୌଣସି ଆଶ୍ୱସ୍ତି ନମିଳିବା ପରେ ସେ ପୁଣି ହାଇକୋର୍ଟରେ ଆତ୍ମସମର୍ପଣ ପାଇଁ ସମୟ ପ୍ରାର୍ଥନା କରିଥିଲେ। ଗତ ୧୪ ଜୁଲାଇ ୨୦୨୬ରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ତଳ ଅଦାଲତରେ ଆତ୍ମସମର୍ପଣ କରିବାକୁ ସୁଯୋଗ ଦେଇଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ସୋମବାର ସେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଥିଲେ ।
କିନ୍ତୁ ଏସଡିଜେଏମ୍ ଓ ପରେ ଜିଲ୍ଲା ଅଦାଲତ ଉଭୟ ସ୍ଥାନରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଈଥିବାରୁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ସହ ପୁର୍ବରୁ ନ୍ୟାୟିକ ପ୍ରକିୟାରେ ଅସହଯୋଗ ସହ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ତାଙ୍କର ଜାମିନ ଆବେଦନ ଖାରଜ କରିଥିବା ମାନ୍ୟବର ଅଦାଲତ ତାଙ୍କ ରାୟରେ ଦର୍ଶାଇ ଥିବା ସୋମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଓକିଲ ରଜତ କୁମାର ପାତ୍ର ଓ ସରକାରୀ ଓକିଲ ରାଜେଶ କୁମାର ମିଶ୍ର ସୁଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ରୋଷେୟା ମନ୍ମଥ କୁମ୍ଭ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି।