ବାଲେଶ୍ୱର, ୨୭ (କୃଷ୍ଣ କୁମାର ମହାନ୍ତି): ସଙ୍ଗୀତ ଜଗତରେ ଓଡ଼ିଶା ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି ବାଲେଶ୍ୱର(ନୀଳଗିରି)ର ଝିଅ ଜ୍ୟୋତିର୍ମୟୀ ନାୟକ। ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜୟୀ ମୁକୁଟ ପିନ୍ଧି ଜ୍ୟୋତିର୍ମୟୀ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ଏହି ପ୍ରତିଯୋଗିତାର ପ୍ରଥମ ଓଡ଼ିଆ ବିଜେତା ଭାବେ ଇତିହାସ ସୃଷ୍ଟି କରିଛନ୍ତି।
ଫାଇନାଲ୍ରେ ଜ୍ୟୋତିର୍ମୟୀ ଜବଲପୁରର ତନିଷ୍କ ଶୁକ୍ଳା ଏବଂ ମନରାଜ ବୀର ସିଂହଙ୍କୁ ପଛରେ ପକାଇ ଚାମ୍ପିୟନ ହୋଇଥିଲେ। ବିଜୟୀ ପୁରସ୍କାର ସ୍ୱରୂପ ସୋନି ଟେଲିଭିଜନ ପକ୍ଷରୁ ତାଙ୍କୁ ୨୦ ଲକ୍ଷ ଟଙ୍କାର ଅର୍ଥରାଶି ଏବଂ ଟ୍ରଫି ପ୍ରଦାନ କରାଯାଇଛି।

ଜ୍ୟୋତିର୍ମୟୀଙ୍କ ଇଣ୍ଡିଆନ୍ ଆଇଡଲ୍ ଯାତ୍ରା ଥିଲା ସଂଘର୍ଷ, ସାଧନା ଓ ସଫଳତାର ଏକ ଅନନ୍ୟ କାହାଣୀ। ଥିଏଟର ରାଉଣ୍ଡରେ ‘ସେୟାଁ ପକଡ଼ ବୈୟାଁ’ ଗୀତ ପରିବେଷଣ କରି ସେ ଟପ୍-୧୬ରେ ସ୍ଥାନ ପାଇଥିଲେ। ପରବର୍ତ୍ତୀ ସମସ୍ତ ଗାଲା ରାଉଣ୍ଡରେ ତାଙ୍କର ସୁରିଲା କଣ୍ଠ, ଗାୟନର ବିବିଧତା ଏବଂ ମଞ୍ଚ ଉପସ୍ଥାପନା ବିଚାରକ ଓ ଦର୍ଶକଙ୍କ ମନ ଜିଣିଥିଲା।
ପ୍ରାୟ ୧୦ ମାସର କଠିନ ଯାତ୍ରା ପରେ ଜ୍ୟୋତିର୍ମୟୀ ଏହି ବିଜୟ ହାସଲ କରିଛନ୍ତି।
ଚଳିତ ସିଜନ୍ରେ ବିଚାରକ ଭାବେ ଶ୍ରେୟା ଘୋଷାଲ, ବିଶାଲ ଡାଡଲାନି ଏବଂ ବାଦଶାହା ଥିବାବେଳେ ଆଦିତ୍ୟ ନାରାୟଣ ଶୋ’ର ହୋଷ୍ଟ ଥିଲେ। ଏହି ସିଜନ୍ର ଥିମ୍ ଥିଲା ‘ୟାଦୋ କି ପ୍ଲେଲିଷ୍ଟ’। ଦର୍ଶକଙ୍କ ଭଲପାଇବା ଯୋଗୁଁ ଶୋ’କୁ ଅତିରିକ୍ତ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ନିଜର ଏହି ବିଜୟ ସମ୍ପର୍କରେ ଜ୍ୟୋତିର୍ମୟୀ ଗଣମାଧ୍ୟମକୁ କହିଛନ୍ତି, “ଏହି ଯାତ୍ରା ପ୍ରାୟ ଗୋଟିଏ ବର୍ଷର ଥିଲା। ମୁଁ ୧୪ ସେପ୍ଟେମ୍ବରରେ ମୁମ୍ବାଇ ଆସିଥିଲି। ଏହା ମୋ ପାଇଁ ଏକ ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା। ଟ୍ରଫି ଜିତିବା ଏହି ଯାତ୍ରାକୁ ଆହୁରି ସ୍ମରଣୀୟ କରିଦେଇଛି। ମୁଁ କେବେ ପୁରସ୍କାର ରାଶି ବିଷୟରେ ଚିନ୍ତା କରିନଥିଲି, କେବଳ ଭଲ ପ୍ରଦର୍ଶନ କରିବା ଏବଂ ଦର୍ଶକଙ୍କ ଭଲପାଇବା ପାଇବା ମୋର ଲକ୍ଷ୍ୟ ଥିଲା। ଏବେ ଏହି ଅର୍ଥରାଶିକୁ କିପରି ବ୍ୟବହାର କରିବି, ସେଥିପାଇଁ ଚିନ୍ତା କରିବି।”
ନିଜ ବିଜୟର ଶ୍ରେୟ ଜ୍ୟୋତିର୍ମୟୀ ସଙ୍ଗୀତ ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀମାନଙ୍କୁ ମଧ୍ୟ ଦେଇଛନ୍ତି। ତାଙ୍କର ଏହି ସଫଳତା ବାଲେଶ୍ୱର ସହ ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ହୋଇଛି।