ବାଲିଆପାଳରେ ତୃଣମୂଳ ସ୍ତରରେ କର୍କଟ ରୋଗ ଚିହ୍ନଟର ଅଭିନବ ପଦକ୍ଷେପ: ରିସପ୍ରୋ ହେଲଥ୍ ଓ ଯୁବ ବିକାଶର ମିଳିତ ଉଦ୍ୟମରେ ପ୍ରଥମ ମଡେଲ୍ ସ୍ୱାସ୍ଥ୍ୟ ଶିବିର

0
ବାଲେଶ୍ୱର, ୨୭/୦୭ (କୃଷ୍ଣ କୁମାର ମହାନ୍ତି): ଗ୍ରାମାଞ୍ଚଳରେ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ଏକ ଅଭିନବ ମଡେଲ୍ ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟ ସଂଗଠନ ରିସପ୍ରୋ ହେଲଥ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଯୁବ ବିକାଶର ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା।
ଦିନକୁ ଦିନ କର୍କଟ ରୋଗର ବୃଦ୍ଧି ପାଉଥିବା ପ୍ରବଣତାକୁ ଦୃଷ୍ଟିରେ ରଖି ଗ୍ରାମ ସ୍ତରରେ ସ୍ତନ କର୍କଟ, ମୁଖ ଗହ୍ୱର କର୍କଟ ଏବଂ ଆଣ୍ଠୁ ଓ ଗଣ୍ଠି ଜନିତ ସମସ୍ୟାର ପ୍ରାରମ୍ଭିକ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରାଯାଇଥିଲା।
ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ଡା. ଦେବାଶିଷ ଦାସ, ଡା. ବିଶାଖା ପଣ୍ଡା, ବରିଷ୍ଠ ଗବେଷକ ଟି. ସଂଯୁକ୍ତା ଏବଂ ସ୍ୱିଡେନର ବିଶିଷ୍ଟ ଚିକିତ୍ସକ ଡା. ରବି ନାରାୟଣ ଦାଶ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଯୁବ ବିକାଶର ଚେୟାରମ୍ୟାନ୍ ଗୋବିନ୍ଦ ଦଳାଇ କହିଥିଲେ ଯେ, ବାଲିଆପାଳ ଅଞ୍ଚଳରେ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟଠାରୁ ଆରମ୍ଭ କରି ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ଚିକିତ୍ସା ପରବର୍ତ୍ତୀ ପାଲିଏଟିଭ୍ କେୟାର ପର୍ଯ୍ୟନ୍ତ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସଂଗଠନ ପକ୍ଷରୁ ଗୁରୁତ୍ୱ ଦିଆଯିବ।
ଶିବିରର ସୁପରିଚାଳନାରେ ବାଘାଯତୀନ ସ୍ମୃତି ପରିଷଦ ଓ ତ୍ରିଶକ୍ତି କ୍ଲବ୍‌ର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଏହା ବ୍ୟତୀତ ସ୍ୱେଚ୍ଛାସେବୀ ବସନ୍ତ ବାରିକ, ସୁଦାମ ଦାସ, ସମାଜସେବୀ ପରେଶ କର, ଯୁବନେତା ତୁଷାରକାନ୍ତି ତପସ୍ୱୀ, ଟ୍ୱିଟର ଆକ୍ଟିଭିଷ୍ଟ ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରକଳ୍ପ ସଂଯୋଜକ ଭାଗ୍ୟଲକ୍ଷ୍ମୀ ରାଉତ, ସିଆରପି ଅମିତା କର, ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ ଜେନା ଏବଂ ଯୁବ ବିକାଶର ଚୁମୁକି ମାଝୀ, ରାଖାଲ ମାଇତି ଓ ଜଗଦିଶ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ଗ୍ରାମାଞ୍ଚଳରେ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ, ସଚେତନତା ସୃଷ୍ଟି ଏବଂ ଚିକିତ୍ସା ସେବାକୁ ସୁଲଭ କରାଇବା ଦିଗରେ ଏହି ମଡେଲ୍ ସ୍ୱାସ୍ଥ୍ୟ ଶିବିର ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
Leave A Reply

Your email address will not be published.