ଫକୀର ମୋହନ ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ଭାବେ ମନୋନୀତ ହେଲେ ବସ୍ତା ବିଧାୟିକା ସୁବାସିନୀ ଜେନା

0
ବାଲେଶ୍ୱର, ୨୪ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ‘ସିନେଟ୍’ର ସଦସ୍ୟ ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ମନୋନୀତ ହୋଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୯(୧)(ର) ଅନୁଯାୟୀ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି।
ବିଶ୍ୱବିଦ୍ୟାଳୟର ପରିଚାଳନା, ନୀତି ନିର୍ଦ୍ଧାରଣ ଏବଂ ସାମଗ୍ରିକ ବିକାଶ ଦିଗରେ ସିନେଟ୍ ସର୍ବୋଚ୍ଚ ଗଣତାନ୍ତ୍ରିକ ପରିଷଦ ଭାବେ କାର୍ଯ୍ୟ କରିଥାଏ। ସିଣ୍ଡିକେଟ୍ ଦୈନନ୍ଦିନ ପ୍ରଶାସନିକ ନିଷ୍ପତ୍ତି ନେଉଥିବା ବେଳେ, ସିନେଟ୍ ସମଗ୍ର ବିଶ୍ୱବିଦ୍ୟାଳୟର ନୀତିଗତ ଅନୁମୋଦନ ଓ ଦୀର୍ଘମିଆଦୀ ଦିଗଦର୍ଶନ ଦେଇଥାଏ।
ମନୋନୟନ ପରେ ପ୍ରତିକ୍ରିୟା ରଖି ବିଧାୟିକା ଶ୍ରୀମତୀ ଜେନା ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, “ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ମାନ ବୃଦ୍ଧି ଏବଂ ସାମଗ୍ରିକ ବିକାଶ ପାଇଁ ମୁଁ ସମ୍ପୂର୍ଣ୍ଣ ସମର୍ପଣ ସହ କାର୍ଯ୍ୟ କରିବି।”
ଜଣେ ଜନପ୍ରିୟ ଜନପ୍ରତିନିଧି ଭାବେ ସୁବାସିନୀ ଜେନାଙ୍କର ଏହି ମନୋନୟନ ବିଶ୍ୱବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିତରେ ଖୁସିର ଲହରୀ ଖେଳାଇ ଦେଇଛି।
Leave A Reply

Your email address will not be published.