ବାଲେଶ୍ୱରରେ ଉଚ୍ଚ ଶିକ୍ଷା ବିଭାଗ କମିଶନର କଲେ ସମୀକ୍ଷା ବୈଠକ : ଏସଆଇଆର୍ ଓ ଯୋଜନା କାର୍ଯ୍ୟାନ୍ୱୟନରେ ତ୍ୱରିତତା ଉପରେ ଦେଲେ ଗୁରୁତ୍ୱ

0
ବାଲେଶ୍ୱର, ୨୩/୦୭(କୃଷ୍ଣ କୁମାର ମହାନ୍ତି): ଜିଲ୍ଲାରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିର୍ବାଚନ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୪ଟାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସେକ୍ରେଟାରୀ ଏବଂ ବାଲେଶ୍ୱର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ।
ବୈଠକ ଆରମ୍ଭରେ ଶ୍ରୀ ଅଗ୍ରୱାଲ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଗତି, ଲୋକସେବା ପ୍ରଦାନ ବ୍ୟବସ୍ଥା, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ରମର ଅଗ୍ରଗତି ସହ କ୍ଷେତ୍ରସ୍ତରରେ ଦେଖାଦେଉଥିବା ସମସ୍ୟା ଏବଂ ତାହାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
ଏହାପରେ ସେ ସ୍ୱତନ୍ତ୍ର ସଘନ ସଂଶୋଧନ ଅର୍ଥାତ ଏସଆଇଆର୍ କାର୍ଯ୍ୟକ୍ରମର ପ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ମତଦାତାଙ୍କ ପଞ୍ଜୀକରଣ, ତଥ୍ୟର ସଠିକତା, ଯୋଗ୍ୟ ମତଦାତାଙ୍କ ଅନ୍ତର୍ଭୁକ୍ତି ଏବଂ ଅଯୋଗ୍ୟ ନାମ ବିଲୋପ ପ୍ରକ୍ରିୟା ଉପରେ ସେ ଆଲୋଚନା କରିଥିଲେ। ଜିଲ୍ଲାର ସମସ୍ତ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ନିଜ ନିଜ ଅଞ୍ଚଳର ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ।
ସମୀକ୍ଷା ସମୟରେ ଶ୍ରୀ ଅଗ୍ରୱାଲ କାର୍ଯ୍ୟାନ୍ୱୟନରେ ଦେଖାଦେଉଥିବା ସମସ୍ୟାର ତ୍ୱରିତ ଓ ବ୍ୟବହାରିକ ସମାଧାନ ପାଇଁ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ଦେଇଥିଲେ। ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ଉତ୍ତମ ସମନ୍ୱୟ ଏବଂ ଜନସେବାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ଜିଲ୍ଲାର ସମସ୍ତ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ଇଆରଓ, ଏଇଆରଓ ଏବଂ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Leave A Reply

Your email address will not be published.