ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିବେ। ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେସନ ଯଥା— ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ ସାମିଲ ରହିଛି, ଯାହାର ନବକଳେବର ହୋଇଛି।

କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଏହି ଷ୍ଟେସନ ଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ବିକଶିତ କରାଯାଇଛି। ଓଡ଼ିଶାର ଏହି ୭ଟି ଷ୍ଟେସନର ନବୀକରଣ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି। ସ୍ଥାନୀୟ ଐତିହ୍ୟକୁ ବଜାୟ ରଖିବା ସହ ଯାତ୍ରୀମାନଙ୍କୁ ଆଧୁନିକ ସେବା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଯାତ୍ରୀଙ୍କ ସୁବିଧା ପାଇଁ ଆକର୍ଷଣୀୟ ନୂଆ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଇଛି। ଷ୍ଟେସନ ଗୁଡ଼ିକରେ ଲିଫ୍ଟ ସୁବିଧା ସହ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସହଜରେ ଯାତାୟାତ କରିପାରିବେ।
ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ଏହାସହ ଷ୍ଟେସନ ବାହାରେ ଗହଳି ନିୟନ୍ତ୍ରଣ କରିବା ପାଇଁ ପାର୍କିଂ ଜାଗାକୁ ଅଧିକ ପ୍ରଶସ୍ତ ଓ ବ୍ୟବସ୍ଥିତ କରାଯାଇଛି।

ଏହି ନବୀକରଣର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଷ୍ଟେସନ ଗୁଡ଼ିକର ସୁନ୍ଦର କଳାକୃତି। ପ୍ରତ୍ୟେକ ଷ୍ଟେସନର ନିର୍ମାଣ ଶୈଳୀରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଦେଖିବାକୁ ମିଳିବ। ଏଥିରେ ସ୍ଥାନୀୟ ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଏବଂ ଆଦିବାସୀ କଳାର ଚିତ୍ର ସ୍ଥାନ ପାଇଛି, ଯାହା ଓଡ଼ିଶାର ଗୌରବମୟ ପରିଚୟକୁ ପ୍ରଦର୍ଶିତ କରିବ।

ଏହି ସାତଟି ଷ୍ଟେସନର ପୁନଃବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବା ସହିତ ନିରାପଦ, ଆଧୁନିକ, ଅନ୍ତର୍ଭୁକ୍ତ ଏବଂ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବା ପାଇଁ ଚାଲିଥିବା ପ୍ରୟାସରେ ଆଉ ଏକ ମାଇଲଖୁଣ୍ଟ।

Leave A Reply

Your email address will not be published.