ଭୁବନେଶ୍ୱର : ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ । ଦାରା ସିଂଙ୍କ ଓକିଲ ଏପି ସିଂ କହିଛନ୍ତି ଯଦି ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତ କରାନଯାଏ, ତେବେ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟରେ ପୁଣି ଏହି ମାମଲାର ଶୁଣାଣି ହେବ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିବା ସେ କହିଛନ୍ତି। ଦାରା ସିଂ ଗତ ୨୬ ବର୍ଷ ଧରି କାରାଗାରରେ ଦଣ୍ଡ ଭୋଗ କରୁଛନ୍ତି।ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ର ଫିଲିପ୍ ଏବଂ ଟିମୋଥିଙ୍କୁ ସେମାନେ ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏହି ଘଟଣା ଦେଶ ଓ ବିଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।
ଏହି ମାମଲାର ତଦନ୍ତ ପରେ ଭୁବନେଶ୍ୱରସ୍ଥିତ ସିବିଆଇ ସ୍ୱତନ୍ତ୍ର ଅଦାଲତ ଦାରା ସିଂ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲାର ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ୨୫ ବର୍ଷ କାରାଦଣ୍ଡ ଭୋଗିବା ପରେ ଭଲ ଆଚରଣ ଆଧାରରେ ଗତ ବର୍ଷ ଚୌଦ୍ୱାର ଜେଲରୁ ମୁକ୍ତ କରାଯାଇଥିଲା।ଏବେ ଦାରା ସିଂଙ୍କ ମୁକୁଳିବେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି।