ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍ ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା ପ୍ରାୟ ଦୁଇ ଘଣ୍ଟାରେ ଅତିକ୍ରମ କରିବ। ରେଳ ବୋର୍ଡ ପକ୍ଷରୁ ୮ ଜୁଲାଇରେ ଉତ୍ତର ରେଳବାଇକୁ ଜାରି କରାଯାଇଥିବା ଟ୍ରେନ୍ ନମ୍ବର ୭୪୦୧୦ ସକାଳ ୭ଟା ୪୦ ମିନିଟରେ ଜିନ୍ଦରୁ ଛାଡ଼ି ସକାଳ ୯ଟା ୪୦ ମିନିଟରେ ସୋନିପତରେ ପହଞ୍ଚିବ। ଫେରନ୍ତା ଯାତ୍ରାରେ ଟ୍ରେନ୍ ନମ୍ବର ୭୪୦୦୯ ସକାଳ ୧୦ଟା ୪୦ ମିନିଟରେ ସୋନିପତରୁ ଛାଡ଼ି ଅପରାହ୍ନ ୧ଟାରେ ଜିନ୍ଦରେ ପହଞ୍ଚିବ। ଏହି ଟ୍ରେନ୍ ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲଳିତ ଖେରା,ଭାମ୍ବେବା, ଇଶାପୁର ଖେରି, ବୁଟାନା, ଖଣ୍ଡରାଇ, ଗୋହାନା, ରାଭରା, ଲାଥ, ମୋହନା ହରିୟାଣା ଓ ବରୱାସନି ସମେତ ମୋଟ ୧୨ଟି ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରିବ।
ତେବେ ନିୟମିତ ଯାତ୍ରୀ ସେବା କେବେ ଆରମ୍ଭ ହେବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ରେଳ ବୋର୍ଡ ଉତ୍ତର ରେଳବାଇକୁ ଏହାକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।୧୦ଟି କୋଚ୍ ବିଶିଷ୍ଟ ଏହି DEMU ଟ୍ରେନ୍ରେ ୬୮୨ଟି ଆସନ ରହିଛି ଏବଂ ମୋଟ ୨,୬୦୦ ଯାତ୍ରୀ ବହନ କରିବାର କ୍ଷମତା ରହିଛି। ଟ୍ରେନ୍ଟି ପ୍ରତିଦିନ ୩୫୬ କିଲୋମିଟର ଚଳାଚଳ କରିବ ଏବଂ ଜିନ୍ଦ-ସୋନିପତ ରୁଟ୍ରେ ଦୁଇଟି ରାଉଣ୍ଡ ଟ୍ରିପ୍ ସମ୍ପୂର୍ଣ୍ଣ କରିବ।ପରୀକ୍ଷଣ ସମୟରେ ଟ୍ରେନ୍ଟି ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗ ହାସଲ କରିଥିଲେ ମଧ୍ୟ ନିୟମିତ ସେବାରେ ଏହାର ସର୍ବାଧିକ କାର୍ଯ୍ୟକ୍ଷମ ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିବ।ଡିଜେଲ ପରିବର୍ତ୍ତେ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ରୁ ଶକ୍ତି ପାଉଥିବା ଏହି ଟ୍ରେନ୍ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଦିଗରେ ଭାରତୀୟ ରେଳର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରେଳ ମନ୍ତ୍ରଣାଳୟ ପ୍ରଥମ ତିନି ମାସ ପାଇଁ ଟ୍ରେନ୍ ସହ ବିଶେଷ ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ରୁଟ୍ରେ କୌଣସି ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ସେମାନେ ତୁରନ୍ତ ସମାଧାନ କରିବେ।ହାଇଡ୍ରୋଜେନ୍ ଇନ୍ଧନଚାଳିତ ଏହି ଟ୍ରେନ୍ ଦେଶର ସବୁଜ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ କାର୍ବନ ନିର୍ଗମନ ହ୍ରାସ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରେଳ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି।