ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୬’ ପାଇବେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବଳରାମ

ଜୁଲାଇ ୧୧ରେ ଅନୁଷ୍ଠିତ ହେବ ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ

0
ବାଲେଶ୍ୱର, ୧୦/୦୭(କୃଷ୍ଣ କୁମାର ମହାନ୍ତି) : ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେବାକୁ ଯାଉଛି।
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବ।
ଚଳିତ ବର୍ଷର ‘ଫକୀରମୋହନ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୬’ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ, ସାମ୍ବାଦିକ ଓ ସାହିତ୍ୟ ପତ୍ରିକା ସମ୍ପାଦକ ଶ୍ରୀ ବଳରାମ (ବଳରାମ ପ୍ରେମ ନାରାୟଣ)ଙ୍କୁ ପ୍ରଦାନ କରାଯିବ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ପୁରସ୍କାର ଘୋଷଣା କରି କହିଛନ୍ତି ଯେ, ହିନ୍ଦୀ ଭାଷା ଓ ସାହିତ୍ୟ ପ୍ରତି ଶ୍ରୀ ବଳରାମଙ୍କର ଅସାଧାରଣ ଅବଦାନ ଏବଂ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଦୀର୍ଘଦିନର ସୃଜନଶୀଳ ଭୂମିକାକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଓଡ଼ିଆ କଥାସାହିତ୍ୟର ଯୁଗପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ସମ୍ମାନ ସହ ଏକ ପ୍ରଶସ୍ତିପତ୍ର ଏବଂ ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ।
ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ଭୌପୁର-ବିଠୁରୁ ଗ୍ରାମରେ ୧୫ ନଭେମ୍ବର ୧୯୫୧ରେ ଜନ୍ମିତ ଶ୍ରୀ ବଳରାମ ସମକାଳୀନ ହିନ୍ଦୀ କଥାସାହିତ୍ୟର ଅନ୍ୟତମ ପ୍ରମୁଖ ସ୍ରଷ୍ଟା। ସାମାଜିକ ବାସ୍ତବତା ଓ ଗ୍ରାମୀଣ ଜୀବନର ସ୍ପନ୍ଦନକୁ ନିଜ ସୃଜନରେ ସଫଳତାର ସହ ଉପସ୍ଥାପନ କରି ସେ ହିନ୍ଦୀ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେ ହିନ୍ଦୀ ଦୈନିକ ‘ଆଜ୍’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ‘ସାରିକା’ର ସହ-ସମ୍ପାଦକ, ‘ନବଭାରତ ଟାଇମ୍ସ’ର ସହଯୋଗୀ, ‘ଶବ୍ଦଯୋଗ’ର ପ୍ରତିଷ୍ଠାତା ଏବଂ ୨୦୦୫ ମସିହାରୁ ‘ଲୋକାୟତ’ର ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ‘ପ୍ରେମଚାନ୍ଦ ରଚନାବଳୀ’, ‘ଭାରତ କଥା କୋଷ’ ଏବଂ ‘ଇନ୍ଦ୍ରାବତୀ’ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥର ସମ୍ପାଦନା କରିଥିବା ସହ ସେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି)ର ପାଠ୍ୟକ୍ରମ କମିଟିର ସଦସ୍ୟ ଥିଲେ। ସାହିତ୍ୟ ଏକାଡେମୀ ପକ୍ଷରୁ ଜର୍ମାନୀର ଫ୍ରାଙ୍କଫର୍ଟ ପୁସ୍ତକ ମେଳାରେ ଭାରତୀୟ ଭାଷାର ପ୍ରତିନିଧିତ୍ୱ କରିଥିବା ବେଳେ ପରେ ସାହିତ୍ୟ ଏକାଡେମୀର ପ୍ରତିଷ୍ଠିତ ପତ୍ରିକା ‘ସମକାଳୀନ ଭାରତୀୟ ସାହିତ୍ୟ’ର ସମ୍ପାଦନା ମଧ୍ୟ କରିଛନ୍ତି। ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ‘ସାହିତ୍ୟ ଭୂଷଣ ସମ୍ମାନ’, ‘ଭୀମରାଓ ଆମ୍ବେଦକର ସମ୍ମାନ’ ଓ ‘ସାହିତ୍ୟକାର ସମ୍ମାନ’ ସମେତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ପ୍ରତିଷ୍ଠା ଦିବସ ଅବସରରେ ‘ବ୍ୟାସ ଗୌରବ ସମ୍ମାନ-୨୦୨୬’ ବାଲେଶ୍ୱରର ବିଶିଷ୍ଟ ସାହିତ୍ୟିକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଭଦ୍ରକର ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୋମା ଚାନ୍ଦଙ୍କୁ ପ୍ରଦାନ କରାଯିବ।
ଯୁବ କଥାସାହିତ୍ୟିକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରବର୍ତ୍ତିତ ‘ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁବ ଗାଳ୍ପିକା ସମ୍ମାନ-୨୦୨୬’ ବାଲେଶ୍ୱରର ଯୁବ ଗାଳ୍ପିକା ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କୁ ପ୍ରଦାନ କରାଯିବ।
ଉଦୀୟମାନ କଥାସାହିତ୍ୟିକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ‘ମନୋଜାୟନ’ ପକ୍ଷରୁ ପ୍ରାୟୋଜିତ ‘ମନୋଜ ନବପ୍ରତିଭା କଥା ପୁରସ୍କାର-୨୦୨୬’ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ଶ୍ରୀ ବାବୁଲ କୁମାର କବିଙ୍କୁ ପ୍ରଦାନ କରାଯିବ।
ଓଡ଼ିଶା ଆସୋସିଏସନ୍ ଫର୍ ଇଂଲିଶ୍ ଷ୍ଟଡିଜ୍ ପକ୍ଷରୁ ପ୍ରାୟୋଜିତ ‘ଜୟନ୍ତ ମହାପାତ୍ର କବିତା ପୁରସ୍କାର-୨୦୨୬’ କବୟିତ୍ରୀ ସୋନାଲି ନାୟକଙ୍କୁ ପ୍ରଦାନ କରାଯିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରବର୍ତ୍ତିତ ‘ଡଃ ପ୍ରସନ୍ନ କୁମାର ସ୍ମାରକ ପୁରସ୍କାର’ ରାଜଲକ୍ଷ୍ମୀ ବେହେରାଙ୍କୁ ପ୍ରଦାନ କରାଯିବ।
ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେଇ ୨୦୨୪, ୨୦୨୫ ଓ ୨୦୨୬ ଶିକ୍ଷାବର୍ଷରେ ଏମ୍‌ବିବିଏସ୍ ପରୀକ୍ଷାର ମେଡିସିନ୍ ଏବଂ ସର୍ଜରୀ ବିଷୟରେ ସର୍ବାଧିକ ନମ୍ବର ହାସଲ କରିଥିବା ଛଅଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ମେଡିସିନ୍ ବିଭାଗରେ ତନୁ ମିତ୍ତଲ, ତିଥି ପ୍ରକାଶ ଦଳାଇ ଓ ଅତିଶ୍ମା ଐଶ୍ୱର୍ଯ୍ୟଙ୍କୁ ଏବଂ ସର୍ଜରୀ ବିଭାଗରେ ପ୍ରୟାସ କୁମାର ଲେଙ୍କା, ଅଞ୍ଜନେୟ ଆଚାର୍ଯ୍ୟ ଓ ମୁଗ୍ଧା ପ୍ରିୟଦର୍ଶିନୀଙ୍କୁ ପୁରସ୍କୃତ କରାଯିବ।
ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ପ୍ରତିଷ୍ଠା ଦିବସ ବକ୍ତୃତା ଶ୍ରୀ ବଳରାମ ପ୍ରେମ ନାରାୟଣ ପ୍ରଦାନ କରିବେ।
ବାଲେଶ୍ୱର ଲୋକସଭାର ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିବେ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।
ବିଶ୍ୱବିଦ୍ୟାଳୟର ଏହି ୨୮ତମ ପ୍ରତିଷ୍ଠା ଦିବସ ଉତ୍ସବ ଉଚ୍ଚଶିକ୍ଷାରେ ଉତ୍କର୍ଷତା, ସାହିତ୍ୟ ସାଧନା, ସାମାଜିକ ଦାୟିତ୍ୱବୋଧ ଓ ସମନ୍ୱିତ ଆନୁଷ୍ଠାନିକ ବିକାଶ ପ୍ରତି ବିଶ୍ୱବିଦ୍ୟାଳୟର ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ ହେବ। ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ, ଜନପ୍ରତିନିଧି, ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ଆଶାବ୍ୟକ୍ତ କରାଯାଇଛି।
Leave A Reply

Your email address will not be published.