ଭାରତ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ; ସାମୁଦ୍ରିକ ସୁରକ୍ଷା ଓ ପରମାଣୁ ଶକ୍ତି କ୍ଷେତ୍ରରେ ବୁଝାମଣା

0

ଲବୋର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନିଜଙ୍କ ଦ୍ୱାରା ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ତୃତୀୟ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆଲବାନିଜ ଆନୁଷ୍ଠାନିକ ସ୍ୱାଗତ କରିବା ପରେ ଉଭୟଙ୍କ ମଧ୍ୟରେ ଏକକ ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ସେମାନେ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗିତାର ଛଅ ବର୍ଷ ସଫଳତାର ସହିତ ସମ୍ପୂର୍ଣ ହେବାକୁ ସ୍ୱାଗତ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ କ୍ଷେତ୍ରରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଉପରେ ସମୀକ୍ଷା କରିଥିଲେ। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ମହାକାଶ, ବେସାମରିକ ପରମାଣୁ ଶକ୍ତି, ସ୍ୱଚ୍ଛ ଶକ୍ତି, ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଆଲୋଚନା କରିଥିଲେ।
ଶିଖର ସମ୍ମିଳନୀ ଅବସରରେ ଉଭୟ ପକ୍ଷ ସାମୁଦ୍ରିକ ସୁରକ୍ଷା, ବେସାମରିକ ପରମାଣୁ ଶକ୍ତି, ଦକ୍ଷତା ବିକାଶ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଏଥି ମଧ୍ୟରେ କଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ (ଏସ୍ଆର୍ଏଫ୍ଟିଆଇ) ଏବଂ ଅଷ୍ଟ୍ରେଲିଆ ଦକ୍ଷିଣ ବ୍ରିସ୍ୱେନ୍ ଗ୍ରିଫିଥ୍ ଫିଲ୍ମ ସ୍କୁଲ ମଧ୍ୟରେ ବୁଝାମଣା ହୋଇଛି। ସେହିପରି ଜିଓସାଇନ୍ସ ଅଷ୍ଟ୍ରେଲିଆ (ଜିଏ) ଓ ଭାରତୀୟ ଭୂତାତ୍ୱିକ ସର୍ବେକ୍ଷଣ (ଜିଏସ୍ଆଇ) ମଧ୍ୟରେ ବୁଝାମଣା ହୋଇଛି। ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟକୁ ଭାରତରେ (ବେଙ୍ଗାଲୁରୁ) ନିଜର କ୍ୟାମ୍ପସ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଅଷ୍ଟ୍ରେଲିଆର ସାମୁଦ୍ରିକ ସୀମା କମାଣ୍ଡ (ଏମ୍ବିସି) ମଧ୍ୟରେ ସାମୁଦ୍ରିକ ଆଇନ ପରିବର୍ତ୍ତନ, କ୍ଷେତ୍ର ସଚେତନତା ଏବଂ ସାମୁଦ୍ରିକ ସୀମା ସୁରକ୍ଷା କ୍ଷେତ୍ରରେ ସହଯୋଗ ସ୍ଥାପନ ପାଇଁ ବୁଝାମଣା ହୋଇଛି।
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ପଶ୍ଚିମ ଅଷ୍ଟ୍ରେଲିଆ ସରକାରଙ୍କ ବୈଷୟିକ ଓ ପରବର୍ତ୍ତୀ ଶିକ୍ଷା (ଟିଏଏଫ୍ଇ) ମନ୍ତ୍ରଣାଳୟ ମଧ୍ୟରେ ଖଣି, ଖଣିଜ ଉପକରଣ, ପ୍ରଯୁକ୍ତିବିଦ୍ୟା ଓ ସେବା (ଏମ୍ଇଟିଏସ୍)ରେ ଉତ୍କର୍ଷତା କେନ୍ଦ୍ର ସ୍ଥାପନ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆଜିର ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ଏହାର ପ୍ରତିଷ୍ଠାନରେ ସଂରକ୍ଷିତ ଥିବା ଅନେକ ଭାରତୀୟ କଳାକୃତିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଘୋଷଣା କରିଥିଲା। ଘୋଷଣା ଅନୁଯାୟୀ ଶିବଙ୍କ ବାହନ ପବିତ୍ର ବୃଷଭ ନନ୍ଦୀ, ଶୁଭ କାଳୀ (ଭଦ୍ରକାଳୀ) ସହିତ ତ୍ରିଶୂଳ ଓ ଛଅ ମୁଣ୍ଡିଆ ସ୍କନ୍ଦ (କାର୍ତ୍ତିକେୟ)ଙ୍କୁ ଫେରାଇ ଅଣାଯିବ। ଏହି କଳାକୃତିଗୁଡ଼ିକ ତାମିଲନାଡୁର। ଅଷ୍ଟ୍ରେଲିଆ ଗସ୍ତ ଅସବରରେ ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣଠାରେ ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ ଏବଂ ଇକୋନୋମିକ୍ ରୋଡମ୍ୟାପ୍ ବିଜନେସ୍ ଇଭେଣ୍ଟକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲୀୟ ନିବେଶକମାନଙ୍କୁ ଭାରତରେ ଦୀର୍ଘକାଳୀନ ନିବେଶର ସୁଯୋଗର ଲାଭ ଉଠାଇବା ପାଇଁ ଆମନ୍ତ୍ରଣ କରିଥିଲେ।

Leave A Reply

Your email address will not be published.