ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତର ଏବଂ ଷ୍ଟାଫ କାର୍ଯ୍ୟ କରୁଛନ୍ତି ଚାପରେ ,

ଟିଟିଲାଗଡ :  ଟିଟିଲାଗଡ ସରକାରୀ ଡାକ୍ତରଖାନା ହେଉଛି ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଳାର ରୋଗୀଙ୍କ ପାଇଁ ପ୍ରଥମ ଚିକିତ୍ସା କେନ୍ଦ୍ର, ଏଠାରେ ଯଦି ଚିକିତ୍ସା ହୋଇ ନ ପାରିବ ତାହାଲେ ବଲାଙ୍ଗିର ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଅଥବା ବାହାରକୁ ଯାଆନ୍ତି ଚିକିତ୍ସା କରାଇବା ପାଇଁ।ଯେହେତୁ ଟିଟିଲାଗଡ ଗୋଟିଏ ସବଡିଭିଜନ ଏବଂ ପଡୋଶୀ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ଲୋକ ମାନଙ୍କ ବିଶ୍ୱାସ ଯେ ଟିଟିଲାଗଡ ଗଲେ ବାଧ୍ୟ ଚିକିତ୍ସା ମିଳିପାରିବ। ସେଥିପାଇଁ ରୋଗୀଙ୍କ ପ୍ରବଳ ଭିଡ଼ ମଧ୍ୟ ଜମିଥାଏ। ଏହି ସରକାରୀ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହେଉଛନ୍ତି ଡାକ୍ତର ବଳରାମ ସାହୁ, ସେ ଆସିଲା ଦିନଠାରୁ କୌଣସି ରୋଗୀକୁ ଟଙ୍କା ଟିଏ ବି ଖର୍ଚ୍ଚ କରିବାକୁ ପଡେନି ଅସ୍ତ୍ରୋପଚାର ହେଉ କି ଚିକିତ୍ସା ପାଇଁ ହେଉ, ସରକାର ଯାହା ସବୁ ସୁବିଧା ଯୋଗାଉଛନ୍ତି ସେହି ଆଧାରରେ ଏଠାରେ ଚିକିତ୍ସା କରନ୍ତି ଶ୍ରୀ ସାହୁ, ସକାଳ ୯ ଟାରେ ଆସି ପ୍ରଥମେ ରାଉଣ୍ଡ ଡ୍ୟୁଟି, ତାପରେ ନିଜ କେବିନରେ ରୋଗୀ ଦେଖା, ତାପରେ ଅଲଟ୍ରା ସାଉଣ୍ଡ, ତାପରେ ଅସ୍ତ୍ରୋପଚାର ହେଉ କି ସାଧାରଣ ପ୍ରକ୍ରିୟାରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା କରନ୍ତି, ତାପରେ ସନ୍ଧ୍ୟାରେ ପୁଣି ରାଉଣ୍ଡ ଏବଂ ପୁଣି ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରିବା ପରେ କିଛି ଦିନ ରାତ୍ରି ଡ୍ୟୁଟି ମଧ୍ୟ କରିଥାନ୍ତି, ସେହିପରି ଡ ବିଜୁ ଅଗ୍ରୱାଲ ସକାଳୁ ରାଉଣ୍ଡ, ତାପରେ ୧୦ ରୁ ୧୨ ଦୁଇ ଘଣ୍ଟା ଶିଶୁଙ୍କୁ ଦେଖନ୍ତି, ପୁଣି ସନ୍ଧ୍ୟାରେ ରାଉଣ୍ଡ କରି ଯେତେବେଳେ ଯେ କୌଣସି ମୁହୂର୍ତ୍ତରେ ଶିଶୁ ଗୁରୁତର ହୁଅନ୍ତି ସେତେବେଳେ ଚିକିତ୍ସା କରନ୍ତି।

ବାକି ସମସ୍ତ ଡ଼ାକ୍ତର ୮ ଘଣ୍ଟିଆ ଡ୍ୟୁଟି କରି ଆଉଟ ଡୋର ରେ ରୋଗୀ ଦେଖନ୍ତି। ତେବେ ସମସ୍ୟା ରହିଲା କେଉଁଠି ?ଏହି ଡ଼ାକ୍ତରଖାନାରେ ମେଡିସିନ ସ୍ପେଶିଆଲିଷ୍ଟ ଦୁଇ ଜଣ ଅଛନ୍ତି, ଜଣେ ହେଲେ ଏସ ଡି ଏମ ଓ ଶ୍ରୀ ପିକେ ନାୟକ, ଯିଏ କି ସରକାରୀ ଡାକ୍ତରଖାନାରେ ରୋଗୀ ଦେଖନ୍ତିନି, ସିଏ କେବଳ ତାଙ୍କ ଘରେ ଫିସ ନେଇ ରୋଗୀ ଦେଖନ୍ତି, ଅନ୍ୟ ଜଣେ ହେଲେ ଡ ହେମନ୍ତ ମେହେର, ସେ ଶୁକ୍ରବାର ରାତି ୧୦ ରୁ ଶନିବାର ରାତି ୧୦ ଯାଏଁ ଆଉଟଡୋରରେ ରୋଗୀ ଦେଖନ୍ତି, ଭିଡ କହିଲେ ନ ସରେ, ଶୁକ୍ରବାର ରାତିରୁ ଭିଡ ହୁଏ ଯେ ରୋଗୀଙ୍କ ଲମ୍ବା ଲାଇନ ବି ସରେନି। ଏଥିରୁ ଅନୁମେୟ ଯେ ଆଉ ଗୋଟିଏ ମେଡିସିନ ବିଶେଷଙ୍କ ହେଲେ ପ୍ରତିଦିନ ରୋଗୀ ଚିକିତ୍ସା ପାଇ ପାରନ୍ତେ, ଚକ୍ଷୁ ଚିକିତ୍ସାଳୟ ଅଛି କିନ୍ତୁ ଡାକ୍ତର ବସନ୍ତିନି, ସେ ଆଉଟ ଡୋର ଡ୍ୟୁଟି କରନ୍ତି, ଯଦ୍ୱାରା ବାହାରେ ଘରୋଇ ଚକ୍ଷୁ ଡ଼ାକ୍ତରଙ୍କ ନିକଟକୁ ଗଲେ ପାଖାପାଖି ୧୦୦୦ ଟଙ୍କା ଚିକିତ୍ସା ପାଇଁ ଖର୍ଚ୍ଚ ହେଉଥିବା ରୋଗୀଙ୍କ ପାଟିରୁ ଶୁଣିବାକୁ ମିଳୁଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଆଉ ଜଣେ ନ ଥିବାରୁ ଗୋଟିଏ ଡ଼ାକ୍ତରଙ୍କ ଉପରେ ବେଶି କାମ ବୋଝ ରହୁଛି, ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ବାହାରିଆ ଆନେସଥେସିଆ ଡାକ୍ତରଙ୍କ ଉପରେ ନିର୍ଭର କରିବାକୁ ପଡୁଛି, ଯଦି ସେ ନ ଥିବେ ତାହେଳେ ବାଧ୍ୟ ହୋଇ ବଲାଙ୍ଗୀରକୁ ସ୍ଥାନାନ୍ତର କରିବାକୁ ପଡୁଛି।

ଏବେ କିଛି ଦିନ ହେବ ଜଣେ ଅସ୍ଥି ଶଲ୍ୟ ଡାକ୍ତର ଯୋଗ ଦେଇଛନ୍ତି, ଯାହାକି ଭଲ ଖବର। ପର୍ଯ୍ୟାପ୍ତ ପରିମାଣରେ ନର୍ସ କି ଆଟେନଡେଣ୍ଟ ନ ଥିବାରୁ ରୋଗୀଙ୍କ ନିକଟକୁ ଯାଇ ସେବା ଯୋଗାଇବାରେ ଅସୁବିଧା ସାଙ୍ଗକୁ ଲୋକଙ୍କ ଠାରୁ ଗାଳି ମଧ୍ୟ ଖାଇ ଥାଆନ୍ତି ଏହି ନର୍ସ ଷ୍ଟାଫ ମାନେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଲା କିଛି ଡାକ୍ତର ଏବଂ କିଛି ନର୍ସ ମାନଙ୍କ ଚିଡଚିଡ ପଣ ଯୋଗୁଁ କିଛି ରୋଗୀ ଏବଂ ରୋଗୀ ସମ୍ପର୍କୀୟ ରାଗର ଶିକାର ହୁଅନ୍ତି, ଯଦ୍ୱାରା ସମସ୍ତେ ବଦ ନାମ ହେଉଛନ୍ତି। ସବୁଠୁ ବଡ଼ ଅସୁବିଧା ହେଲା ରୋଗୀଙ୍କ ସହ ମଦ ପିଇ ଆସି ଡ଼ାକ୍ତରଙ୍କ ସହ ପାଟିତୁଣ୍ଡ କରିବା, କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଲୋକ ନିଜେ ସଚେତନ ନ ହେବା ଯାଏଁ ଏହି ଅବସ୍ଥା ସୁଧାରିବା ସହଜ ନୁହେଁ, ସେହିଭଳି କିଛି ଡାକ୍ତର ଏବଂ ନର୍ସଙ୍କ ଦୂର୍ବ୍ୟବହାର ଯୋଗୁଁ ସମସ୍ତେ ଆକ୍ରୋଶର ଶୀକାର ହେବାକୁ ପଡ଼ୁଚି। ଡାକ୍ତରଖାନା କର୍ମଚାରୀଙ୍କ ନିଜ ନିଜ ଭିତରେ ବି ଅସହିଷ୍ଣତା ମଧ୍ୟ କିଛି ସମସ୍ୟାର କାରଣ ପାଲଟିଛି।ଏହି ଅବ୍ୟବସ୍ଥାର ସମାଧାନ ନିମନ୍ତେ ସୋମବାର ୧୯ ତାରିଖରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ ସରକାରୀ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେବାକୁ ସ୍ଥିର କରିଛନ୍ତି। ସେମାନେ ବି ଡ଼ାକ୍ତରଙ୍କ ଅଭାବ ଏକା ମୂଳ ସମସ୍ୟାର ଉତ୍ପତ୍ତି ବୋଲି କହିବା ସହିତ ଏହାର ସମାଧାନ ପାଇଁ ଏହି ଧାରଣା ଦେବେ। ଯେହେତୁ ଏହି ଡାକ୍ତରଖାନା ଉପରେ ବହୁତ ଲୋକ ନିର୍ଭର କରୁଛନ୍ତି, ଯଥା ଶୀଘ୍ର ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ସାଧାରଣରେ ମଧ୍ୟ ଦାବି ହେଉଚି।

Comments are closed.