ମାନବିକତାର ଦୃଷ୍ଟାନ୍ତ ରଖିଲେ ଟ୍ରକ୍ ଚାଳକ : ଆତ୍ମହତ୍ୟା ଉଦ୍ୟମରୁ ମହିଳାଙ୍କୁ ବଞ୍ଚାଇ ଘରେ ପହଞ୍ଚାଇଲେ ଟ୍ରକ୍ ଡ୍ରାଇଭର୍

0
ବାଲେଶ୍ୱର, ୭ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ମାନବିକତା ଓ ସାହସର ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ଟ୍ରକ୍ ଚାଳକ। ଫୁଲାଡ଼ି ନିକଟ ଜାତୀୟ ରାଜପଥ-୧୬ରେ ଚଳନ୍ତା ଟ୍ରକ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ବିବାହିତାଙ୍କୁ ସେ ଶେଷ ମୁହୂର୍ତ୍ତରେ ଉଦ୍ଧାର କରିବା ସହ ନିଜ ଘରେ ଆଶ୍ରୟ ଦେଇ ସୁରକ୍ଷିତ ଭାବେ ତାଙ୍କ ପରିବାର ନିକଟରେ ପହଞ୍ଚାଇଛନ୍ତି।
ଜଳେଶ୍ୱର ବ୍ଲକ୍ ଗୋବରଘାଟା ଗ୍ରାମର ମୃତ୍ୟୁଞ୍ଜୟ କୁମାର ଘୋଷ (୫୧) ଚଣ୍ଡିଖୋଲରୁ ପଥର ଚିପ୍ସ ବୋଝେଇ ଟ୍ରକ ଚଳାଇ ରାଜପଥରେ ଫେରୁଥିବା ବେଳେ ବିଳମ୍ବିତ ରାତିରେ ହଠାତ୍ ଜଣେ ମହିଳା ତାଙ୍କ ଟ୍ରକ୍ ସାମ୍ନାକୁ ଡେଇଁ ପଡ଼ିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ବ୍ରେକ୍ ଲଗାଇ ସେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦେଇଥିଲେ।
ପରେ ମହିଳାଙ୍କୁ ଶାନ୍ତ କରାଇ କଥା ହେବାରୁ ଜଣା ପଡ଼ିଥିଲା ଯେ, ସେ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଦୀର୍ଘଦିନରୁ ନିର୍ଯାତନା ଭୋଗି ଅତିଷ୍ଠ ହୋଇପଡିବାରୁ ଘର ଛାଡ଼ି ଚାଲି ଆସିଥିଲେ। ନିରାଶାରେ ସେ ଅନ୍ୟ ଉପାୟ ନ ପାଇ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା କଥା କହିଥିଲେ।
ରାତି ଅଧରେ ତାଙ୍କୁ ଏକୁଟିଆ ଛାଡ଼ିଦେବା ନିରାପଦ ନୁହେଁ ଭାବି ଡ୍ରାଇଭର୍ ମୃତ୍ୟୁଞ୍ଜୟ ତାଙ୍କୁ ନିଜ ଘରକୁ ନେଇ ଆଶ୍ରୟ ଦେଇଥିଲେ। ପରଦିନ ପ୍ରବଳ ବର୍ଷା ହେଉଥିବାରୁ ସେ ରବିବାର ପର୍ଯ୍ୟନ୍ତ ସେଠାରେ ରହିଥିଲେ। ରବିବାର ଦିନ ମୃତ୍ୟୁଞ୍ଜୟ ମହିଳାଙ୍କ ମାମୁଁଙ୍କ ସହ ଯୋଗାଯୋଗ କରି ତାଙ୍କୁ ସୁରକ୍ଷିତ ଭାବେ ସମ୍ପର୍କୀୟଙ୍କ ଘରେ ପହଞ୍ଚାଇଥିଲେ। ପରେ ମହିଳାଙ୍କ ବାପା-ମାଆଙ୍କୁ ମଧ୍ୟ ସୂଚନା ଦିଆଯିବା ପରେ ପରିବାର ସହ ତାଙ୍କର ଭାବବିହ୍ୱଳ ପୁନର୍ମିଳନ ଘଟିଥିଲା।
ଏହି ଘଟଣା ସମ୍ପର୍କରେ ଚାଳକ ମୃତ୍ୟୁଞ୍ଜୟ କହିଛନ୍ତି, “ଜଣେ ଦାୟିତ୍ୱବାନ ନାଗରିକ ଭାବେ ଯାହା କରିବା କଥା, ମୁଁ କେବଳ ସେତିକି କରିଛି। ଗୋଟିଏ ଜୀବନ ବଞ୍ଚାଇବା ହିଁ ମୋର ପ୍ରଥମ କର୍ତ୍ତବ୍ୟ ଥିଲା।”
ଘଟଣା ସମ୍ପର୍କରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଓ ସମାଜସେବୀ ସୁଜାତା ନାୟକଙ୍କୁ ଅବଗତ କରାଯିବା ପରେ ସେ ସଦର ଥାନା ପୁଲିସକୁ ସୂଚନା ଦେଇଥିଲେ।
ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ପଚରାଉଚରା ପାଇଁ ଡାକିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।
ଟ୍ରକ୍ ଚାଳକ ମୃତ୍ୟୁଞ୍ଜୟ କୁମାର ଘୋଷଙ୍କ ଏହି ସମୟୋଚିତ ପଦକ୍ଷେପ ଓ ମାନବିକତାକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି। ଅନେକେ ତାଙ୍କୁ ସମାଜ ପାଇଁ ଜଣେ ପ୍ରକୃତ ମାନବିକ ନାୟକ ବୋଲି ଅଭିହିତ କରିଛନ୍ତି।
Leave A Reply

Your email address will not be published.