୩୦ କୋଟି ଖର୍ଚ୍ଚ ପରେ ବି ଅନ୍ଧାରରେ ଅଛି ଚାନ୍ଦିପୁର ବିଚ୍ : ମେରାଇନ୍ ଡ୍ରାଇଭ୍ ପାଲଟିଛି ଘାସଜଙ୍ଗଲ, 

• ସରକାରଙ୍କ ପକ୍ଷରୁ ପୁଣି ନୂଆ ପ୍ରକଳ୍ପ ପାଇଁ ଅପେକ୍ଷା

0
ବାଲେଶ୍ୱର, ୭ ଜୁଲାଇ(କୃଷ୍ଣ କୁମାର ମହାନ୍ତି) : ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ବାଲେଶ୍ୱର ଚାନ୍ଦିପୁର ବେଳାଭୂମିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ସରକାରୀ ପ୍ରକଳ୍ପ ଏବେ ଧୂଳିସାତ୍ ହୋଇଯାଇଛି।
ପ୍ରାୟ ୨ କିମି ଦୈର୍ଘ୍ୟ ମେରାଇନ୍ ଡ୍ରାଇଭ୍ ରେ ଏବେ ପର୍ଯ୍ୟଟକଙ୍କ ପାଇଁ କିଛି ବି ନାହିଁ। ପଥର ବନ୍ଧ ନିର୍ମାଣ ହୋଇଥିଲେ ମଧ୍ୟ ସମଗ୍ର ସମୁଦ୍ର କୂଳ ଏବେ ଘାସବଣରେ ପରିଣତ ହୋଇଛି। ଅର୍ଦ୍ଧ ନିର୍ମିତ ମେରାଇନ୍ ଡ୍ରାଇଭ୍ ରାସ୍ତା ଏବେ ଜଙ୍ଗଲ ପାଲଟି ଯାଇଛି ଏବଂ ରାତିରେ ଉପକୂଳ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଉଛି। ଫଳରେ ସନ୍ଧ୍ୟା ପରେ ପର୍ଯ୍ୟଟକମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି।
କ’ଣ ଥିଲା ଯୋଜନା, କ’ଣ ହେଲା ସ୍ଥିତି
କିଛି ବର୍ଷ ତଳେ ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ଚାନ୍ଦିପୁରରେ ତଟ ସୁରକ୍ଷା କାମ ଆରମ୍ଭ ହୋଇଥିଲା। ୧.୭ କିମି ପଥର ବନ୍ଧ ଉପରେ ମେରାଇନ୍ ଡ୍ରାଇଭ୍, ପର୍ଯ୍ୟଟକଙ୍କ ବସିବା ବ୍ୟବସ୍ଥା, ଗାଡି ପାର୍କିଂ ଓ ସବୁଜୀକରଣର ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। ୨୦୨୦ ମସିହାରେ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରିନଥିଲା।
ଯାହା କାମ ହୋଇଥିଲା ତାହା ମଧ୍ୟ ଏବେ ନଷ୍ଟ ହୋଇଗଲାଣି। ଅଧିକାଂଶ ସ୍ଥାନରେ ମେରାଇନ୍ ଡ୍ରାଇଭ୍ ଧସି ବଡ ବଡ ଗାତ ହୋଇଯାଇଛି। ପେଭର ବ୍ଲକ ଉପରେ ଘାସ ଓ ଛୋଟ ଗଛ ବଢି ସମ୍ପୂର୍ଣ୍ଣ ଜଙ୍ଗଲ ଭଳି ଦେଖା ଯାଉଛି। ପଥର ପ୍ୟାଚିଂ ମଧ୍ୟରେ ଫାଙ୍କ ଦେଖାଯାଉଛି। ପଥର ପଛପଟେ ପାଣି ଜମି ରହିବାରୁ ଚାରିପାଖ ଲୁଣା ଜମି ପରି ଲାଗୁଛି। ସମୁଦ୍ର କୂଳର ଶେଷ ଭାଗରେ ତ ପାଣି ବି ଦେଖାଯାଉନାହିଁ।
ସ୍ଥାନୀୟଙ୍କ ଅଭିଯୋଗ
ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟନ-ନିର୍ଭର ବ୍ୟବସାୟୀମାନେ ଠିକାଦାରଙ୍କ ମନମାନି ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ନା ଉପକୂଳ ସୁରକ୍ଷିତ ହୋଇପାରିଛି, ନା ଚାନ୍ଦିପୁରର ସୌନ୍ଦର୍ଯ୍ୟ ବଢିଛି। ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ସହ ମେରାଇନ୍ ଡ୍ରାଇଭ୍ ର ପୁନଃନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।
ଏନେଇ ପର୍ଯ୍ୟଟନ ଅଧିକାରୀ ଦାୟିତ୍ଵରେ ଥିବା ଅମ୍ଳାନ ନାୟକ କହିଛନ୍ତି, ପୂର୍ବରୁ ହୋଇଥିବା କାମ ଇରିଗେସନ୍ ବିଭାଗ କରିଥିଲା। ଏବେ ପର୍ଯ୍ୟଟନ ବିଭାଗକୁ ୧.୬୫ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିଛି। ଏଥିରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କାମ ହେବ। ଓଡିଶା କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥୋରିଟିର ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଆର୍ ଆଣ୍ଡ ବି ବିଭାଗକୁ କାମ ଦିଆଯାଇଛି।
ତେବେ ନୂଆ ପ୍ରକଳ୍ପ କେବେ ଆରମ୍ଭ ହେବ ଏବଂ ଚାନ୍ଦିପୁର ପୁଣି ତାର ପୂର୍ବ ରୂପ ଫେରିପାଇବ କି ନାହିଁ ତାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ଓ ଆଶଙ୍କା ଲାଗି ରହିଛି।
Leave A Reply

Your email address will not be published.