ନୂଆଦିଲ୍ଲୀ :ଯଦି ଆପଣ ଫୋନ୍-ପେ ୱାଲେଟ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କମ୍ପାନୀ ଏହାର ଗାଇଡ୍ଲାଇନ୍ ବଦଳାଇ ଦେଇଛି। ଏଣିକି ଆପଣଙ୍କ ୱାଲେଟ୍ ଯଦି ଦୀର୍ଘ ଦିନ ଧରି ଅଚଳ ରହେ, ତେବେ ଆପଣଙ୍କୁ ତିନିମାସକୁ ୧୦୦ ଟଙ୍କା ମେଣ୍ଟେନାନ୍ସ ଫି’ ଦେବାକୁ ପଡ଼ିବ। ବର୍ଷକ ମଧ୍ୟରେ ଯଦି କୌଣସି ଆର୍ଥିକ କାରବାର ହୋଇନଥିବ, ତେବେ ସେହି ୱାଲେଟ୍କୁ କମ୍ପାନୀ ‘ଇନାକ୍ଟିଭ୍’ ବା ନିଷ୍କ୍ରିୟ ବୋଲି ଧରିନେବ।
ଚାର୍ଜରୁ କେମିତି ବଞ୍ଚିବେ?
କେବଳ ଆପ୍ ଖୋଲିଲେ କିମ୍ବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ UPI ପେମେଣ୍ଟ କଲେ ୱାଲେଟ୍ ସକ୍ରିୟ ରହିବ ନାହିଁ। ଚାର୍ଜରୁ ବଞ୍ଚିବାକୁ ହେଲେ ବର୍ଷକ ଭିତରେ ଅତିକମରେ ଗୋଟିଏ କାରବାର ୱାଲେଟ୍ ଜରିଆରେ କରିବାକୁ ପଡ଼ିବ। ତେବେ ଟଙ୍କା କାଟିବା ପୂର୍ବରୁ କମ୍ପାନୀ ଗ୍ରାହକଙ୍କୁ ୧୫ ଦିନ ଆଗରୁ ସୂଚନା ଦେବ। ସେହିପରି ଯଦି ୱାଲେଟ୍ରେ ୧୦୦ ଟଙ୍କାରୁ କମ୍ ବାଲାନ୍ସ ଥାଏ, ତେବେ ଥିବା ସମସ୍ତ ଟଙ୍କା କଟି ବାଲାନ୍ସ ‘ଶୂନ’ ହୋଇଯିବ, କିନ୍ତୁ ଆକାଉଣ୍ଟ ମାଇନସ୍ (-) ହେବନାହିଁ।
କମ୍ପାନୀର ଏହି ନୂଆ ନିୟମକୁ ନେଇ ସୋସିଆଲ ମିଡିଆରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ୟୁଜର୍ସ କହିଛନ୍ତି ଯେ, ସେମାନେ କେବଳ UPI ବ୍ୟବହାର କରନ୍ତି, ୱାଲେଟ୍ ନୁହେଁ। ତେଣୁ ନ ବ୍ୟବହାର କରୁଥିବା ସେବା ପାଇଁ ଚାର୍ଜ ନେବା ସମ୍ପୂର୍ଣ୍ଣ ଅନ୍ୟାୟ।
Comments are closed.