ଜଳଯୋଗାଣର ବିଚିତ୍ର ସ୍ଥିତି, କାମରେ ଲାଗୁନି ଟାଙ୍କି, ପାଣିରେ ପଡ଼ୁଛି ଟଙ୍କା

ମାର୍ଶାଘାଇ: ମାର୍ଶାଘାଇରେ ପାନୀୟ ଜଳ ଯୋଗାଣର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ, ଏହି ଟାଙ୍କି କାମରେ ଲାଗି ପାରୁନି। ଟାଙ୍କିକୁ ପାଣି ଉଠୁନି। ଜମପଡା ପାନୀୟଜଳ ପ୍ରକଳ୍ପ ସହିତ ବନ୍ଧକଟା (ଜରିଆବରେଇ) ପାନୀୟ ଜଳ ପ୍ରକଳ୍ପ ଭଳି ଅନେକ ଓଭରହେଡ୍ ପାଣିଟାଙ୍କିର ସମାନ ଅବସ୍ଥା। ନିମ୍ନମାନର କାମ ଯାଗୁ ଭୁଶୁଡି ପଡିବା ଆଶଙ୍କାରେ ହେଉ ବା ନିର୍ମାଣଜନିତ ତ୍ରୁଟି ପାଇଁ ଏସବୁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏପଟେ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡ଼ିବା ସାର ହୋଇଛି। ବିଗତ ଦିନମାନଙ୍କରେ ଗୋଟିଏ ଓଭରହେଡ୍ ପାଣି ଟାଙ୍କିର ବ୍ୟୟ ଅଟକଳ ରହିଥିଲା ୪୩ଲକ୍ଷ ଟଙ୍କା। ଏବେ ତାହା ବୃଦ୍ଧି ପାଇ ପାଖାପାଖି ଦୁଇଗୁଣରେ ପହଞ୍ଚିଛି। ଟାଙ୍କି ଉପରକୁ ପାଣି ଉଠୁ ନଥିବାରୁ ପାଇପ୍‌ ଲାଇନ୍‌ର ସବୁ ସ୍ଥାନକୁ ପାଣି ପହଂଚି ପାରୁନାହିଁ। ତେବେ ପ୍ରଶ୍ନ ଉଠୁଛି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏସବୁ ଓଭରହେଡ୍ ପାଣିଟାଙ୍କି କାହିଁକି ନିର୍ମାଣ ହେଉଛି। ଅନ୍ୟପକ୍ଷରେ ଏହି ଟାଙ୍କିଗୁଡିକର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଖର୍ଚ୍ଚ କାହା ପକେଟକୁ ଯାଉଛି ? ପାଣି ଉଠୁ ନ ଥିବାରୁ ବ୍ଲିଚିଂ ହେଉନାହିଁ। ଫଳରେ କେବଳ ଧର୍ମକୁ ଆଖିଠାର ନ୍ୟାୟରେ କାଗଜକଲମରେ ଯାହା କେବଳ ପ୍ରତି ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏବେ ବନ୍ଧକଟା ପାନୀୟଜଳ ପ୍ରକଳ୍ପରୁ ଜରିଆବରେଇ, ତେଲିଆକଣ, ମୂଷାଡିହା, ବଛରାଇ ଓ ବାଲିକୁଦା(ଆଂଶିକ)କୁ ପାଇପ୍‌ଲାଇନ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି।

ଓଭରହେଡ୍ ଟାଙ୍କି ଉପରକୁ ପାଣି ଉଠୁନ ଥିବା ବେଳେ ବୋର୍‌ଓ୍ବେଲରୁ ଯୋଗାଇ ଦିଆଯାଉଥିବାପାଣି ବିଦ୍ୟୁତ୍ ନ ଥିବାବେଳେ ବନ୍ଦ ରହୁଛି। ବଛରାଇଠାରେ ଆଉ ଏକ ପ୍ରକଳ୍ପ ପାଇଁ ଓଭରହେଡ୍ ଟାଙ୍କି ନିର୍ମାଣ ଚାଲିଛି। ମାତ୍ର କାମ ନ ସରିବା ଆଗରୁ ସଂପୃକ୍ତ ଠିକାଦାର ବଛରାଇର ପାଇପ୍‌ଲାଇନ୍‌କୁ କଣା କରି ପ୍ରତି ପରିବାରକୁ ନିମ୍ନମାନର ପାଇପ୍‌ ସଂଯୋଗ ଦେବା ଆରମ୍ଭ କରିଛନ୍ତି। ଯାହାଫଳରେ ଏବେ ବହୁ ପରିବାର ପାଖରେ ପାଣି ପହଂଚି ପାରୁନାହିଁ। ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ସିଂଙ୍କୁ ଏ ସଂପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ଠୋସ୍‌ ଉତ୍ତର ନାହିଁ। ଠିକାଦାର ଜଣକ ବଛରାଇ ସମେତ କରିଲୋପାଟଣା ଓ ହନ୍ତପଡା ଆଦି ତିନୋଟି ପ୍ରକଳ୍ପ କାମ ପାଇଁ ସାଢେ଼ ୩କୋଟି ଟଙ୍କାର ଠିକା ନେଇଥିବା କହିଛନ୍ତି। ତେବେ କାମ ନ ସରିବା ଆଗରୁ ପାଇପ୍‌ଲାଇନ୍‌କୁ ଏପରି କଣା କରି ସଂଯୋଗ ରଖିଥିବା ସେ ଜାଣିନଥିବା କହିଛନ୍ତି। କାମ ସରିଲେ ପାଣି ପହଂଚିବ ବୋଲି କହିଥିବା ଯନ୍ତ୍ରୀ ଜଣକ ବିନା ପାଣିରେ କେତେଦିନ ରହିପାରିବେ ବୋଲି ପଚାରିବାରେ ତାଙ୍କ ପାଖରୁ ଆଉ ଉତ୍ତର ମିଳିନଥିଲା। ଏବେ ଏହାର କୌଣସି ବିକଳ୍ପ ନ ଥିବାରୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବା ଜରୁରୀ ହୋଇପଡିଛି।

Comments are closed.