ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି । ଗରମ ଗୁଳୁଗୁଳିରୁ ଲୋକଙ୍କୁ ମିଳିଛି ଆଶ୍ବସ୍ତି । ଆକାଶରେ କଳାହାଣ୍ଡିଆ ମେଘ ଦେଖାଯିବା ସହ କିଛି ସ୍ଥାନରେ ବର୍ଷା ହୋଇଛି ।
ଆଜି ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ପରିଲକ୍ଷିତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୩ ଡିଗ୍ରୀ ଓ ଆର୍ଦ୍ରତା ୭୭% ଥିଲା । ୪୭ ଡିଗ୍ରୀ ପରି ଅନୁଭୂତ ହେଉଥିଲା ଭୁବନେଶ୍ବରର ଗରମ। ଆକାଶରୁ ଯେମିତି ନିଆଁ ବର୍ଷା ହେଉଥିଲା ।
ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ କଲବଲ ହେଉଥିଲେ ଲୋକେ । ରାସ୍ତାରେ ଗଲାବେଳେ ଗୋଡ ହାତ ଯେମିତି ଝାଇଁ ମାରିଯାଉଥିଲା। ଆଖି ମଧ୍ୟ ପ୍ରବଳ ପୋଡିବା ସହ ମୁଣ୍ଡ ବୁଲାଇବା ଭଳି ଲାଗୁଥିଲା
ହେଲେ ଆଜି ଭୁବନେଶ୍ୱରରେ କାଳବୈଶାଖୀ ହେବାର ସମ୍ଭାବନା ଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ପାଣିପାଗ ବିଭାଗର ଏହି ଆକଳନ ସତ ହୋଇଛି । ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଅନେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗିଯାଇଛି ।