ଭୁବନେଶ୍ଵର: ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଖୁସିଖବର। ଏଣିକି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରମାଣପତ୍ରଗୁଡ଼ିକ ମିଳିବାରେ ବିଳମ୍ବ ଯୋଗୁ ଯେପରି କୌଣସି ବି ପିଲା ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ରାଜସ୍ୱ ସଚିବ ଡଃ ଅରବିନ୍ଦ ପାଢ଼ୀ।ଏବେ ନାମଲେଖା ସମୟ ଆରମ୍ଭ ହୋଇଥିବାରୁ ତହସିଲ ଅଫିସଗୁଡ଼ିକରେ ସ୍ଥାୟୀ ବାସିନ୍ଦା, ଆୟ ଓ ଜାତି ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀମାନଙ୍କର ପ୍ରବଳ ଭିଡ଼ ସହ ବହୁସଂଖ୍ୟକ ଆବେଦନ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ,୨୦୧୨ ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ଆବଶ୍ୟକ। ଏହାଦ୍ୱାରା ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ମଧ୍ୟରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ଏହି ଅତ୍ୟାବଶ୍ୟକ ଜନସେବାଗୁଡ଼ିକର ତୁରନ୍ତ ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।