ନୂଆଦିଲ୍ଲୀ: ଦେଶରେ ଆଞ୍ଚଳିକ ରାଜନୈତିକ ଦଳର ଆୟ ହ୍ରାସ ପାଇଥିବା ଜଣାପଡିଛି। ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ୍ (ଏଡିଆର) ରିପୋର୍ଟ ଅନୁଯାୟୀ ଦେଶର ୩୬ଟି ଆଞ୍ଚଳିକ ଦଳର ମିଳିତ ରୋଜଗାର ୫୧% ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଆଞ୍ଚଳିକ ଦଳଗୁଡିକର ଆୟ ଯେତିକି ହୋଇଥିଲା ୨୦୨୪-୨୫ ତାହା ୫୧% ହ୍ରାସ ପାଇଛି। ଦେଶର ୬୭ ପଞ୍ଜିକୃତ ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୬ଟି ଦଳର ବାର୍ଷିକ ଅଡିଟ୍ ରିପୋର୍ଟକୁ ଆଧାର କରି ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ଉକ୍ତ ଆଞ୍ଚଳିକ ଦଳଗୁଡିକ ସେମାନଙ୍କ ବାର୍ଷିକ ଅଡିଟ୍ ରିପୋର୍ଟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଛନ୍ତି। ତେବେ ୩୧ଟି ଆଞ୍ଚଳିକ ଦଳ ସେମାନଙ୍କର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରି ନାହାନ୍ତି।
୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିଲା। ଧାର୍ଯ୍ୟ ସମୟର ୨୦୭ ଦିନ ପରେ ମଧ୍ୟ ସମସ୍ତ ଦଳ ସେମାନଙ୍କ ରିପୋର୍ଟ ଦାଖଲ କରିପାରି ନାହାନ୍ତି। ଅଡିଟ୍ ରିପୋର୍ଟ ଦେଇଥିବା ଆଞ୍ଚଳିକ ଦଳଗୁଡିକର ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧,୧୯୨.୯୪ କୋଟି ଟଙ୍କା। ପୂର୍ବ ଆର୍ଥିକ ବର୍ଷରେ ଏହି ଆଞ୍ଚଳିକ ଦଳଗୁଡିକର ଆୟ ୨,୪୬୩.୧୭ କୋଟି ଟଙ୍କା।