ପାରାଦୀପ ଇଫକୋରେ ସାର ଉତ୍ପାଦନ ବନ୍ଦ, ଚିନ୍ତାରେ ଚାଷୀ
କଞ୍ଚାମାଲ ଅଭାବ ଯୋଗୁଁ ଆଜିଠାରୁ ସାର ଉତ୍ପାଦନ ବନ୍ଦ ହୋଇଥିବା ସୂଚନା ମିଳିଛି।
ପାରାଦୀପ : ହର୍ମୁଜ ପ୍ରଣାଳୀର ପ୍ରଭାବ ପାରାଦୀପ ଇଫକୋରେ । ପାରାଦୀପ ଇଫକୋ ସାର କାରଖାନାରେ ସାର ଉତ୍ପାଦନ ବନ୍ଦ ହୋଇଯାଇଛି। କଞ୍ଚାମାଲ ଅଭାବରୁ ସାର ଉତ୍ପାଦନ ବନ୍ଦ ଥିବା ସୂଚନା ମିଳିଛି। ଗୁରୁବାରଠାରୁ ଇଫକୋ ତା’ର ଉତ୍ପାଦନ ବନ୍ଦ ରଖିଥିବା ଜଣାପଡିଛି। ଆମୋନିଆ ଏବଂ ସଲଫର୍ ଇତ୍ୟାଦି କଞ୍ଚାମାଲ ବିଦେଶରୁ ଆମଦାନୀ ହୋଇନପାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

ଆମୋନିଆ , ସଲଫର, ରକ୍ ଫସଫେଟ, ଫସଫରିକ ଏସିଡ ପ୍ରଭୃତି କଞ୍ଚାମାଲ ମଧ୍ୟପ୍ରାଚ୍ୟ ଦେଶଗୁଡିକରୁ ପାରାଦୀପ ପୋର୍ଟ ଦେଇ ଆମଦାନୀ କରିଥାଏ ଇଫକୋ। ଆମେରିକା ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀ ପ୍ରଭାବିତ ହେବା ଫଳରେ କଞ୍ଚାମାଲ ଆସିବାରେ ବାଧା ଉପୁଜୁଛି। ବାର୍ଷିକ ୨୨ ଲକ୍ଷ ମେଟ୍ରିକ ଟନ୍ ସାର ଉତ୍ପାଦନ କରୁଥିଲା ଇଫକୋ। ଏଥିପାଇଁ ୫ ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ଆମୋନିଆ ଏବଂ ୧୬ ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ସଲଫ୍ୟୁରିକ ଏସିଡର ଆବଶ୍ୟକତା ପଡିଥାଏ। ତେବେ ଏନେଇ ଇଫକୋ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ବି ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।