ଭୁବନେଶ୍ବର :ବନ୍ଦ ରହିବ ଦେଶର ସବୁ ଔଷଧ ଦୋକାନ। ଘରୋଇ ମେଡିସିନ୍ ଷ୍ଟୋରରେ ପଡିବ ତାଲା। ଦିନ ତମାମ ଚାଲିବ ପ୍ରତିବାଦ। ଆଉ ଆଜି ଯଦି ଆପଣଙ୍କ ଔଷଧ ଶେଷ ହୋଇଯାଇଛି ତେବେ ତୁରନ୍ତ ଯାଇ କିଣିନିଅନ୍ତୁ । ନଚେତ ଆସନ୍ତା କାଲି ମେଡିସିନ୍ ପାଇଁ ନାକେଦମ ହେବାକୁ ପଡିପାରେ। କାରଣ ଆସନ୍ତାକାଲି ଦେଶର ସମସ୍ତ ଘରୋଇ ଔଷଧ ଦୋକାନ ବନ୍ଦ ରହିବ।
ଅନଲାଇନ ଔଷଧ ବିକ୍ରିକୁ ବିରୋଧ ସହ ତିନି ଦଫା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇ ଓଡିଶାରେ ଘରୋଇ ମେଡିସିନ୍ ଷ୍ଟୋର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସଂଘର ଯୁକ୍ତି ଇ-ଫାର୍ମାସି ବା ଅନଲାଇନ ବିକ୍ରିରେ ରିହାତି ମିଳୁଛି। ଔଷଧ ଦୋକାନୀ ସର୍ବାଧିକ ୧୫ ରୁ ୨୦ ପ୍ରତିଶତ ରିହାତି ଦିଅନ୍ତି। ହେଲେ ଅନଲାଇନରେ ୫୦ରୁ ୭୦ ପ୍ରତିଶତ ରିହାତି କିପରି ଦିଆଯାଉଛି ବୋଲି ପ୍ରଶ୍ନ କରିଛି ସଂଘ।
ଔଷଧ ଦୋକାନର ବ୍ୟବସାୟ ପ୍ରଭାବିତ
ଅନଲାଇନ୍ ମେଡିସିନ୍ ବିକ୍ରି ଦ୍ବାରା ଔଷଧ ଦୋକାନର ବ୍ୟବସାୟ ପ୍ରଭାବିତ ହେଉଛି। କେବଳ ସେତିକି ନୁହେଁ ସଂଘର ଯୁକ୍ତି ହେଲା ଅନ୍ ଲାଇନ୍ ମେଡିସିନ୍ ବିକ୍ରି ଦ୍ବାରା ଔଷଧର ଅପବ୍ୟବହାର ବଢିବା ସମ୍ଭାବନା ରହିଛି। କୋଭିଡ ଯୋଗୁଁ ସାମିୟକ ସମୟ ପାଇଁ ଅନ୍ ଲାଇନ୍ ଔଷଧ ବା ଇ ମେଡିସିନ ସେବା ଲାଗୁ ହୋଇଥିଲା। ଯାହାକି ଏଯାଏ ଉଚ୍ଛେଦ ହୋଇନାହିଁ। ଏହାକୁ ତୁରନ୍ତ ଉଚ୍ଛେଦ ପାଇଁ ବି ଦାବି କରାଯାଇଛି।
ଓଡ଼ିଶାରେ ଅନଲାଇନ ଔଷଧ ବିତରଣ ବ୍ୟବସ୍ଥା ଲାଗୁ ହୋଇ ନାହିଁ। ଏ ନେଇ କୌଣସି ଦେକାନକୁ ଲାଇସେନ୍ସ ବି ଦିଆଯାଇ ନାହିଁ। ତଥାପି କିଛି ମେଡିସିନ୍ କମ୍ପାନୀ ଓ ଅନ ଲାଇନ୍ ସଂସ୍ଥା କୋର୍ଟଙ୍କ ଦ୍ବାରସ୍ଥ ହୋଇ ଦେଶରେ ମେଡିସିନ୍ ବିକ୍ରୀ କରୁଛନ୍ତି। ଅନ୍ୟପଟେ ଧର୍ମଘଟକୁ ଦୃଷ୍ଟିରେ ରଖି ଡ୍ରଗ ଇନ୍ସପେକ୍ଟର ମାନଙ୍କୁ ଏସ୍ଓପି ଜାରି କରିଛି ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ।
ହେଡ କ୍ବାର୍ଟର ନ ଛାଡି ଡ୍ରଗସ ଇନ୍ସପେକ୍ଟର ମନିଟରିଂ କରିବେ, ଯେମିତି ତାଙ୍କ ଅଧୀନରେ ଥିବା ଅଞ୍ଚଳ ଗୁଡିକରେ ଔଷଧ ଯେପରି ଅଭାବ ନ ରହିବ। ହସ୍ପିଟାଲ କ୍ୟାମ୍ପସରେ ଥିବା ଔଷଧ ଦୋକାନ ଖୋଲା ରହିବ।
ନିରାମୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଔଷଧ ରଖିବାକୁ କୁହାଯାଇଛି। ସେହିପରି ଜନ ଔଷଧି ଭଳି ସଂସ୍ଥା ଧର୍ମଘଟରେ ସାମିଲ୍ ହୋଇନପାରନ୍ତି ବୋଲି କୁହାଯାଉଛି। ଯେଉଁ ଘରୋଇ ଔଷଧ ଦୋକାନ ଖୋଲିବାକୁ ଚାହିଁବେ, ସେମାନେ ଡ୍ରଗ୍ସ ଇନସପେକ୍ଟରଙ୍କୁ ଲିଖିତ ଜଣାଇଲେ, ପୋଲିସ ପ୍ରଶାସନର ସହଯୋଗ ଯୋଗାଇ ଦିଆଯିବ। ଯଦି କୌଣସି ପରିସ୍ଥିତିରେ ଔଷଧ ଯୋଗାଣରେ ଅଭାବ ଦେଖାଯିବ, ଡ୍ରଗସ ଇନସପେକ୍ଟର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିବେ।…
ପୂର୍ବରୁ ବାରମ୍ବାର ଏ ସବୁ ଦାବି ନେଇ ସରକାରଙ୍କୁ ସର୍ବଭାରତୀୟ ସ୍ତରରେ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ବାହାରି ପାରି ନଥିଲା। ଯେଉଁଥି ପାଇଁ ଦିନିକିଆ ଧର୍ମଘଟ କୁ ଓହ୍ଲାଇଛି ଔଷଧ ଦୋକାନୀ ସଂଘ।