ବାଲେଶ୍ୱର, ୧୯/୫(କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବାଲେଶ୍ୱରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।
ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଏବଂ ନିର୍ବାଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ସୂଚନା ଦିଆଯାଇଛି ଯେ ଚଳିତ ବର୍ଷ ଜୁଲାଇ ୧, ୨୦୨୬କୁ କୁଆଲିଫାଇଂ ତାରିଖ ଭାବେ ଗ୍ରହଣ କରାଯାଇ ସଂଶୋଧନ ପ୍ରକ୍ରିୟା ଚାଲିବ। ଏହି ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ କରୁଥିବା ସମସ୍ତ ଯୋଗ୍ୟ ନାଗରିକ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିପାରିବେ। ଏଥିସହ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏକ ସ୍ୱଚ୍ଛ ଓ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଶ୍ରୀ ବିକାଶ ସମସ୍ତ ରାଜନୈତିକ ଦଳକୁ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ ପ୍ରତ୍ୟେକ ଦଳକୁ ନିଜ ନିଜ ସ୍ତରରେ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ବିଏଲଏ ମାନେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।
ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଜଣେ ବି ଯୋଗ୍ୟ ଭୋଟର ଯେପରି ଭୋଟାଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଲୋଡ଼ାଯାଇଛି।
ଏହି ବୈଠକରେ ଜିଲ୍ଲାର ସମସ୍ତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AEROs) ଏବଂ ନିର୍ବାଚନ ସେଲ୍ର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।