ଆସନ୍ତା ୨୦ରେ ଯୁକ୍ତ ଦୁଇ ରେଜଲ୍ଟ :ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ଵର : ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ।  ବିଗତ ବର୍ଷଗୁଡ଼ିକରେ ସାଧାରଣତଃ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରଥମେ ଏବଂ ପରେ କଳା ବିଭାଗର ରେଜଲ୍ଟ ପ୍ରକାଶ ପାଉଥିଲା । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ପରବର୍ତ୍ତୀ ନାମଲେଖା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ୨୦ ତାରିଖରେ ସମସ୍ତ ଚାରୋଟିଯାକ ଷ୍ଟ୍ରିମର ପରୀକ୍ଷା ଫଳ ଏକ ସମୟରେ ଉପଲବ୍ଧ ହେବ ।ସୂଚନାଯୋଗ୍ୟ, ଚଳିତ ଥର ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଶେଷ ହେବା ଦିନଠାରୁ ହିଁ ସମସ୍ତ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ରେଜଲ୍ଟକୁ ଚାତକ ଭଳି ଅପେକ୍ଷା କରି ରହିଥିଲେ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ସେମାନଙ୍କର ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି।

ଛାତ୍ରଛାତ୍ରୀମାନେ orissaresults.nic.in, chseodisha.nic.in ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷାଫଳ ଦେଖିପାରିବେ। ସେହିପରି ଛାତ୍ରଛାତ୍ରୀମାନେ ନିଜର ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କସିଟ୍ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଫଳ ପ୍ରକାଶକୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave A Reply

Your email address will not be published.