ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ୧୫ ଜିଲାକୁ ବଜ୍ରପାତ ସହିତ ଝଡ଼ବର୍ଷା ଓ ପବନ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ବର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବା ରବିବାର ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ଅପରାହ୍ଣରେ ଭୁବନେଶ୍ବର ସହିତ କେନ୍ଦୁଝର, ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ଓ ଝଡ଼ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ୧୫ ଜିଲାକୁ ବଜ୍ରପାତ ସହିତ ଝଡ଼ବର୍ଷା ଓ ପବନ ନେଇ ସତର୍କ ସୂଚନା ଜାରି ହୋଇଛି। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଭୁବନେଶ୍ବରରେ ପାରଦ ୩୫.୮ ଡିଗ୍ରୀ ଥିବାବେଳେ କଟକରେ ୩୪.୨, ସମ୍ବଲପୁର ଓ ତାଳଚେରରେ ୩୮, ବଲାଙ୍ଗିର, କୋରାପୁଟ ଓ ସୁବର୍ଣ୍ଣପୁରରେ ୩୮.୮ ଏବଂ ନୂଆପଡ଼ାରେ ୩୯ ଡିଗ୍ରୀ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

Comments are closed.