ବାଲେଶ୍ୱରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କାର୍ଯ୍ୟକ୍ରମ : ୫୬ ଯୋଡି ବରକନ୍ୟାଙ୍କର ହେଲା ବିବାହ ସମ୍ପନ୍ନ

0
 ବାଲେଶ୍ୱର, ୨୨/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା ‘ସ୍ପିଡ’ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସୋରୋ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ବାଲେଶ୍ୱର ସ୍ଥିତ ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟ ପାର୍କ ଠାରେ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି, ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋତ୍ସ୍ନାରାଣୀ ମହାନ୍ତିଙ୍କ ସହ ସ୍ଵେଚ୍ଛାସେବୀ ସଂସ୍ଥା ‘ସ୍ପିଡ୍’ର ସମ୍ପାଦକ ପ୍ରଦୀପ କୁମାର ଦାସ, ସମାଜସେବୀ ଗୋପାମୁଦ୍ରା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମାଜର ଅନଗ୍ରସର ବର୍ଗର ଲୋକଙ୍କର ବିବାହ ସମ୍ବନ୍ଧୀୟ ଆର୍ଥିକ ବୋଝ ହ୍ରାସ କରିବା ସହିତ ମହିଳାଙ୍କ ସ୍ୱାଭିମାନ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଏହି ଯୋଜନା ଅତ୍ୟନ୍ତ ଲୋକପ୍ରିୟ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହା ବିଧବା ପୁନର୍ବିବାହକୁ ପ୍ରୋତ୍ସାହନ ଦେବା ସହିତ ଯୌତୁକ ପ୍ରଥା ନିରାକରଣ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଯୋଜନା ଅନୁସାରେ ଝିଅଙ୍କ ବୟସ ୧୮ ରୁ ୩୫ ବର୍ଷ ଓ ପୁଅଙ୍କ ବୟସ ୨୧ ରୁ ୩୫ ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ ୫୬ ଜଣ ବର–କନ୍ୟା ଯୋଡ଼ି ଆଜିର କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥି ମଧ୍ୟରୁ ୫୩ ଯୋଡି ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ ୩ ଯୋଡି ମୁସଲିମ ସମ୍ପ୍ରଦାୟର ଥିଲେ । ୧୫ ଜଣ ବ୍ରାହ୍ମଣଙ୍କ ଦ୍ୱାରା ୧୫ ଗୋଟି ବିବାହ ବେଦୀରେ ବିବାହ ରୀତିନୀତି ସହକାରେ ସମ୍ପନ୍ନ ହୋଇଥିଲା।
ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫,୦୦୦ ଟଙ୍କା ଜମା କରାଯିବା ସହିତ ମୋଟ ୬୦,୦୦୦ ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି।
ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ କୁମାର ସିଂହ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Leave A Reply

Your email address will not be published.