ଭତ୍ତା ଅପେକ୍ଷାରେ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ, ପଞ୍ଚାୟତ ସମ୍ମୁଖରେ ଗୁହାରି

କାହାର ୩ ମାସ ତ କାହାର ୮ ମାସର ଭତ୍ତା ବାକି, କେବେ ଦୂର ହେବ ଦୁର୍ଦ୍ଦଶା?

0

ନବରଙ୍ଗପୁର, (ଶେଖର ଖୁରା): ସରକାରୀ ଭତ୍ତା ଉପରେ ନିର୍ଭର କରି ଜୀବନ ବିତାଉଥିବା ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କ ଦୁଃଖ କେବେ ଦୂର ହେବ? ନିଜର ହକ୍‌ର ଭତ୍ତା ପାଇବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଏହାର ସମାଧାନ କେବେ ହେବ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତର ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ନିଜର ବକେୟା ଭତ୍ତା ପାଇବା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିବା ଦେଖିବାକୁ ମିଳିଛି। ଜୀବନର ସାୟାହ୍ନରେ ପହଞ୍ଚିଥିବା ଏହି ବୟସ୍କ ଲୋକମାନେ ନିଜର ଦୁଃଖ ଓ ଦୁର୍ଦ୍ଦଶାକୁ ଜନପ୍ରତିନିଧିମାନଙ୍କ ଆଗରେ ଲୁହଭରା ଆଖିରେ ବଖାଣିଥିଲେ।

କାହାର ତିନି ମାସ, କାହାର ଚାରି ମାସ, ଆଉ କାହାର ପାଞ୍ଚ ମାସ ତଥା ଆଠ ମାସ ପର୍ଯ୍ୟନ୍ତ ଭତ୍ତା ବକେୟା ରହିଥିବା ଅଭିଯୋଗ ହୋଇଛି। ବାର୍ଦ୍ଧକ୍ୟ ଓ ଶାରୀରିକ ଅକ୍ଷମତା ଯୋଗୁଁ ଅନ୍ୟ କାମ କରି ଜୀବିକା ନିର୍ବାହ କରିବା ସମ୍ଭବ ହେଉନଥିବା ବେଳେ ଭତ୍ତା ହିଁ ସେମାନଙ୍କ ଜୀବନଧାରଣର ଏକ ପ୍ରମୁଖ ଆଧାର। ଏପରି ସ୍ଥିତିରେ ମାସ ମାସ ଧରି ଭତ୍ତା ନମିଳିବା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବିଡିଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାୟତରେ ପହଞ୍ଚି ଉପସ୍ଥିତ ବୃଦ୍ଧବୃଦ୍ଧାଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ସେମାନେ ଘରକୁ ଫେରିଥିବା ଜଣାପଡ଼ିଛି।

ତେବେ ଏହି ସମସ୍ୟା କେବଳ ତେନ୍ତୁଳୀଖୁଣ୍ଟି ବ୍ଲକରେ ସୀମିତ ନୁହେଁ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ମଧ୍ୟ ଏପରି ସମସ୍ୟା ରହିଥିବା ନେଇ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ଗରିବ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସମୟ ମଧ୍ୟରେ ଭତ୍ତା ଯୋଗାଇ ଦେବାରେ ବିଳମ୍ବ ପାଇଁ ଦାୟୀ କିଏ? ପ୍ରଶାସନିକ ଅବହେଳା ନା ଅନ୍ୟ କୌଣସି କାରଣ? ଏହାର ସ୍ପଷ୍ଟ ଉତ୍ତର ସହିତ ସମସ୍ୟାର ସ୍ଥାୟୀ ସମାଧାନ ଜରୁରୀ।

ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ଆଖିରୁ ଲୁହ ପୋଛି ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରଶାସନ କେବେ ତତ୍ପର ହେବ, ତାହା ଏବେ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.