ନୀଳଚକ୍ର ପଶ୍ଚିମବଙ୍ଗର ୫୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ମିଳନ ସନ୍ଧ୍ୟା ପଳନ

0

ଦାସନଗର: (୧୯ /୪)- କାଶୀପୁର ତରୁଣ ଦଳ କ୍ଲବ୍ ପ୍ରାଙ୍ଗଣରେ ନୀଳଚକ୍ର ପଶ୍ଚିମବଙ୍ଗ ତାହାର ୫୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ମିଳନ ସନ୍ଧ୍ୟା ପାଳନ ଅବସରରେ ମୁଖ୍ୟଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ଶ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦାନ କରି ଐକ୍ୟବଦ୍ଧ ଉଦ୍ୟମ ପ୍ରଗତିର ପଥ ଉନ୍ମୁକ୍ତ କରେ ବୋଲି କହିଥିଲେ। ଖଣିଜ ସମ୍ପଦରେ ଭରା ଓଡ଼ିଶାର ଲୋକ ଆଜି ଓଡ଼ିଶା ବାହାରେ ଅଧିକ ସଂଖ୍ୟାରେ ଭାରତର ବିଭିନ୍ନ ରାଜ୍ୟକୁ ଚାଲି ଯିବାର କାରଣ ସ୍ୱରୂପ ଐକ୍ୟବଦ୍ଧତାର ଅଭାବ ବୋଲି କହିଥିଲେ। ଓଡ଼ିଆ ଏକକ ଭାବରେ ଆଜି ଏକ ସଫଳ ମଣିଷ ହିସାବରେ ବିଶ୍ୱରେ ପ୍ରତିଷ୍ଠା ଲାଭ କରିଛି। ଯେଉଁ ଦିନ ଏକକ ରୁ ଐକ୍ୟବଦ୍ଧରେ ରୂପାନ୍ତରିତ ହେବ, ସେଦିନ ଓଡ଼ିଆ ଅନ୍ୟ ରାଜ୍ୟରେ ନିଜର ଦକ୍ଷତା ବିକ୍ରୟ ନ କରି ନିଜ ମାତୃଭୂମିର ପ୍ରଗତିର ପଥ ଉନ୍ମୁକ୍ତ କରିଦେବ ବୋଲି ମୁଖ୍ୟ ଅତିଥି ବିଶ୍ୱାସ କରନ୍ତି।

ଅତିଥି ମାନେ ଜଗନ୍ନାଥ ଫଟୋ ରେ ମାଳ ଓ ଫୁଲ ଅର୍ପଣ କରି କାର୍ଯ୍ୟକ୍ରମର ସୂଚନା କରିଥିଲେ। ।ନୀଳଚକ୍ର ପଶ୍ଚିମବଙ୍ଗର ଉପଦେଷ୍ଟା ସାଫଲ୍ୟ କୁମାର ନନ୍ଦୀ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ନୀଳଚକ୍ର ପଶ୍ଚିମବଙ୍ଗର ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ମଲ୍ଲିକ ମହୋଦୟ ପ୍ରାରମ୍ଭିକ ଭାଷଣରେ ନୀଳଚକ୍ର ପଶ୍ଚିମବଙ୍ଗ ର ଐତିହ୍ୟ ଉଲ୍ଲେଖ କରି ଐକ୍ୟବଦ୍ଧ ହୋଇ ଭବିଷ୍ୟତରେ ଏକ ସୁଦୃଢ଼ ପ୍ରବାସରେ ଓଡ଼ିଆ ସଂଗଠନ ଭାବେ ନୀଳଚକ୍ର ପଶ୍ଚିମବଙ୍ଗ କୁ ପ୍ରତିଷ୍ଠିତ କରିବାର ଆହ୍ୱାନ ଦେଇଥିଲେ। ସମ୍ପାଦକ ଶ୍ରୀ ଶେଷଦେବ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଭାବରେ କବିୟତ୍ରୀ ପ୍ରଫେସର ଡଃ ମନୋରମା ବିଶ୍ୱାଳ ମହାପାତ୍ର ଜଗତର ନାଥ ଜଗନ୍ନାଥଙ୍କ ଅଲୌକିକ ଘଟଣା ବିଷୟ ଉଲ୍ଲେଖ କରି କୋଲକତାର ବସବାସ କରୁଥିବା ଓଡ଼ିଆ ମାନଙ୍କର ନୀଳଚକ୍ର ପଶ୍ଚିମବଙ୍ଗ ମଞ୍ଚ ମାଧ୍ୟମରେ ହେଉଥିବା ବିଭିନ୍ନ କର୍ମକାଣ୍ଡ ର ପ୍ରଶଂସା କରିବା ସହିତ ଓଡ଼ିଶା ର ସବୁକିଛି ରେ ଜଗନ୍ନାଥଙ୍କର ଅସ୍ତିତ୍ୱ କୁ ବିଶ୍ୱାସ କରି ଆଗକୁ ଆଗେଇ ଯିବା ପାଇଁ ନୀଳଚକ୍ର ପଶ୍ଚିମବଙ୍ଗ ର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ କୋଲକତାର ଓଡିଆମାନଙ୍କ ଅଭିଭାବକ ସ୍ବରୂପ ଡଃ କୃଷ୍ଣଚନ୍ଦ୍ର ଭୂୟାଁ ତାଙ୍କ ବକ୍ତବ୍ୟରେ ନୀଳଚକ୍ର କାର୍ଯ୍ୟର ପ୍ରଶଂସା କରିବା ସହିତ ଅତିତ ଭଳି ଗୋପବନ୍ଧୁଙ୍କ ଜନ୍ମର ଦେଢ଼ଶହ ବର୍ଷ ପୂର୍ତ୍ତି ଉତ୍ସବକୁ ଐକ୍ୟବଦ୍ଧ ଭାବରେ ଆଡ଼ମ୍ବର ସହକାରେ ପାଳନ ପାଇଁ ନୀଳଚକ୍ରର ସଦସ୍ୟ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ। ନୀଳଚକ୍ର ପଶ୍ଚିମବଙ୍ଗ ର ସଦସ୍ୟ ସଦସ୍ୟା ସରୋଜ କୁମାର ଦାସ (ବାଁକଡା), ଯଶୋଶ୍ରୀ ନାୟକ , ରବୀନ୍ଦ୍ର ବେହେରା, ଗଣେଶ ମଲ୍ଲିକ,ତାରକ ପୁହାଣ ଏବଂ ନିରଞ୍ଜନ ପରିଡା ପ୍ରଭୃତି ଅତିଥିମାନଙ୍କୁ ଉପାୟନ, ବ୍ୟାଚ, ଫୁଲଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଏବର୍ଷର ସ୍ବର୍ଗତ ବ୍ରହ୍ମାନନ୍ଦ ସ୍ମୃତି ସମ୍ମାନ ଶ୍ରୀ ବିଷ୍ଣୁ ମୋହନ ବାରିକଙ୍କୁ ତାଙ୍କର ନିଷ୍ଠାର ସହିତ ନୀଳଚକ୍ର ପାଇଁ କର୍ତ୍ତବ୍ୟ ପରାୟଣତା ପାଇଁ ପ୍ରଦାନ କରାଯାଇଥିଲା। ଆଜୀବନ ସଦସ୍ୟା ଡଃ ଓମପ୍ରିୟା ମିଶ୍ର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ନୀଳଚକ୍ର ର କାର୍ଯ୍ୟନିର୍ବାହୀ ସଭାପତି ମନମୋହନ ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶାର କଳା କୁଶଳୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ମହାବିଷୁବ ର ସୁସ୍ବାଦୁ ପଣା ଏବଂ ଖିଚୁଡି ଆଳୁଦମ୍ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଏହି ମିଳନ ସନ୍ଧ୍ୟାରେ ନୀଳଚକ୍ର ପଶ୍ଚିମବଙ୍ଗର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ସହିତ ଅନ୍ୟ ଭାଷାଭାଷୀ ଲୋକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.