ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି

ଅର୍ଜୁନୀ ଚରଣ ବେହେରା

ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି
=============
ଶ୍ରୀମଦ୍ ଭାଗବତ ମହାପୁରାଣର କଥା l ଭଗବାନ୍
ଶ୍ରୀକୃଷ୍ଣ, ଦିନେ ଦ୍ୱାରକାରେ, ରୁକ୍ମିଣୀଙ୍କ ଭବନରେ ରତ୍ନପଲ୍ୟଙ୍କ ଉପରେ ବସି ବିଶ୍ରାମକରୁଥାନ୍ତି l ଏହି ସମୟରେ ସଖୀ ମାନଙ୍କ ସହ ଲକ୍ଷ୍ମୀ ସ୍ୱରୂପା ମାଆ ରୁକ୍ମିଣୀ ହସ୍ତରେ ଅଗୁରୁଚନ୍ଦନ ଧରି ପ୍ରବେଶକଲେ l କୃଷ୍ଣପ୍ରାଣା ରୁକ୍ମିଣୀ, ପଲ୍ୟଙ୍କ ପାଖରେ ବସି ସଲ୍ଲଜ ବଦନରେ ମନ୍ଦମନ୍ଦ ହାସ୍ୟରେ ଭଗବାନଙ୍କୁ ଚାମର ବ୍ୟଜନ କରିବାକୁ ଲାଗିଲେ l
ଲକ୍ଷ୍ମୀ ନାରାୟଣଙ୍କ ତ ସର୍ବଦା ହସବିନୋଦ ଲାଗି ରହିଥାଏ l ଶ୍ରୀକୃଷ୍ଣ ଟିକିଏ ରହସ୍ୟ କରି କହିଲେ, ହେ ରାଜନନ୍ଦିନୀ ! ତୁମ ସ୍ଵୟମ୍ବର କଥା ମନେଅଛି ତ l ସ୍ଵୟମ୍ବରକୁ କାହିଁ କେତେ ଐଶ୍ୱର୍ଯ୍ୟ ଓ ପ୍ରତାପ ଶାଳୀ ରାଜା ଏବଂ ରାଜପୁତ୍ର ମାନେ ଆସି ଥିଲେ l ସମସ୍ତେ ତୁମକୁ ପାଇବା ପାଇଁ ଆଶା ବାନ୍ଧି ଥିଲେ l ତୁମ ଭାଇ ଓ ପିତା ମାତା ପୁଣି ତୁମକୁ ଶିଶୁପାଳକୁ ଦେବେ ବୋଲି ସ୍ଥିରକରିଥିଲେ l କେଉଁ ଗୁଣରେ ମୁଁ ତାଙ୍କ ସରିହେବି l ତୁମେ ସେମାନଙ୍କୁ ଛାଡ଼ି ମୋତେ ବ୍ରାହ୍ମଣ ହସ୍ତରେ ପତ୍ର ପଠାଇ କି ସୁଖ ପାଇଁ ବରଣ କଲ l ସୁନ୍ଦରୀ ! ତୁମେ ତ ଜାଣିଛ,ମୁଁ ବଳିଷ୍ଠ ରାଜା ମାନଙ୍କ ଭୟରେ ପଳାଇଆସି ସମୁଦ୍ର ଭିତରେ ଘର କରି ରହିଛି l ତାଙ୍କ ସହ ସଦାସର୍ବଦା ମୋ ଶତୃତା ଲାଗି ରହିଛି l ପୂର୍ବେ ଯଯାତିଙ୍କ ଅଭିଶାପ ଫଳରେ ଆମ୍ଭ ଭାଗ୍ୟରେ ରାଜଭୋଗ ନାହିଁ l ସ୍ଵଭାବରେ ମୁଁ ଦୀନହୀନ, ଅକୀଞ୍ଚନ ଓ ଦରିଦ୍ର ପ୍ରିୟ l କେଉଁ ଶିରି ଦେଖି ମୋତେ ତୁମେ ବରଣ କଲ l
ସ୍ୱଭାବେ ଅକୀଞ୍ଚନ ମୁହିଁ l
ଦରିଦ୍ରପ୍ରିୟ ମୁଁ ବୋଲାଇ ll
ତାହାକୁ ସ୍ବାମୀ ପଣେ ବରି l
ସୁଖି ହୋଇବ କେଉଁ ନାରୀ ll
ଶାସ୍ତ୍ର କହେ, ଧନ ମାନରେ ତୁଲ୍ୟକୁଳ ଦେଖି ବର ବାଛିବା ଉଚିତ l ତୁମେ ଜାଣିଶୁଣି ମୋପରି ଜଣେ ଦରିଦ୍ରକୁ କାହିଁକି ନିର୍ବାଚନ କଲ l ଏବେ ବି ବେଳ ଅଛି, ତୁମେ କୌଣସି ଉଚ୍ଚ କୂଳରେ ତୁମ ଅନୁରୂପ ବର ବାଛି ବିବାହକରି ତୁମ ନାରୀଜନ୍ମ ସୁଖି କର l କେବଳ ଶିଶୁପାଳ, ଦନ୍ତ୍ୟବକ୍ର, ଆଦି ଦୁଷ୍ଟ ମାନଙ୍କ ଗର୍ବ ନାଶିବା ନିମନ୍ତେ ମୁଁ ତୁମକୁ ହରିଆଣିଲି ସିନା ମୋର କିନ୍ତୁ ଦାରା ତନୟ ଆଦିରେ କୌଣସି ସ୍ପୃହା ନାହିଁ l ଆତ୍ମ ସୁଖରେ ହିଁ ମୁଁ ସୁଖି l
ପ୍ରାଣପ୍ରିୟ ସ୍ଵାମୀଙ୍କଠାରୁ ଏପରି ନିଷ୍ଠୁରବଚନ ଶୁଣି ଦେବୀ ରୁକ୍ମିଣୀ ଅଧୋବଦନରେ ଅଶ୍ରୁ ଗଡ଼ାଇବାକୁ ଲାଗିଲେ l ଅତି ଦୁଃଖ ଓ ସନ୍ତାପରେ ତାଙ୍କର ବୁଦ୍ଧି ହଜିଗଲା l ସ୍ୱାମୀଠାରୁ ଏପରି ନିଷ୍ଠୁର କଥା କେଉଁ ନାରୀ ସହିବ l ସେ କର୍ତ୍ତିତ ରମ୍ଭାବୃକ୍ଷ ପ୍ରାୟ ମୂର୍ଚ୍ଛିତ ହୋଇ ଭୂମିରେ ପଡ଼ିଗଲେ l
ରୁକ୍ମିଣୀ କୃଷ୍ଣଙ୍କୁ ଅତି ଭଲ ପାଉଥିଲେ l ସେ ତାଙ୍କୁ ଏକାନ୍ତ ମୋର ସ୍ବାମୀବୋଲି ଭାବୁଥିଲେ l ଶ୍ରୀକୃଷ୍ଣ କେବଳ ତାଙ୍କ ଗର୍ବ ଭାଙ୍ଗିବା ପାଇଁ ଏପରି ଛଳନା କରିଥିଲେ l ଚତୁର ଶିରୋମଣୀଙ୍କୁ ଚାଟୁ କଥାରେ କିଏ ପାରିବ l ସେ ପଲ୍ୟଙ୍କରୁ ଓହ୍ଲେଇ ପଡ଼ି ତାଙ୍କୁ ତଳୁ ଉଠାଇଆଣିଲେ ଓ ତାଙ୍କ ଆଲୁଳାୟିତ କେଶ ରାଶିକୁ ନିଜ ହାତରେ ଯତ୍ନରେ ବାନ୍ଧିଦେଇ ଚକ୍ଷୁରୁ ଲୁହ ପୋଛି ଦେଲେ l ଆଲିଙ୍ଗନ ପୂର୍ବକ ଭଗବାନ ତାଙ୍କୁ ସାନ୍ତ୍ଵନାଦେଇ କହିଲେ, ବିଦର୍ଭ ନନ୍ଦିନୀ ! ମୁଁ ଜାଣେ ତୁମେ ମୋପ୍ରତି ଏକାନ୍ତ ଅନୁରକ୍ତା l ତୁମଠୁଁ କେବଳ ପ୍ରେମପୁର୍ଣ୍ଣ କଥା ଟିକିଏ ଶୁଣିବା ଉଦ୍ଦେଶ୍ୟ ନେଇ ମୁଁ ଏପରି କହିଥିଲି l ହେ ଭାମିନୀ ! ଏହାହିଁ ତ ସଂସାର ବେଭାର l ନିଜ ପ୍ରିୟତମା ସହ ଟିକିଏ ହାସ୍ୟ ପରିହାସ କରିଦେଲେ ଗୃହ ସ୍ଵାମୀକୁ ବହୁତ ଆନନ୍ଦ ମିଳିଥାଏ l ଏହାହିଁ ତ ଗୃହସ୍ଥ ଧର୍ମ l
ଯେ ପ୍ରାଣୀ ଥାଇ ଗୃହବାସେ l
ପ୍ରିୟା ସଂଯୋଗେ ହାସ୍ୟରସେ ll
ଦିନ ହରଇ ପ୍ରିୟ ଭାବେ l
ବିଷୟସୁଖେ ଏହା ଲଭେ ll
ଦେବୀ ରୁକ୍ମିଣୀ ପ୍ରଭୁଙ୍କ କଥା ବୁଝିଗଲେ ଓ ପ୍ରଭୁଙ୍କୁ କହିବାରେ ଲାଗିଲେ, ହେ ପ୍ରଭୁ ! ଆପଣ କହୁଛନ୍ତି ମୁଁ ଦରିଦ୍ର ପ୍ରିୟ l ମୁଁ ଦୀନ, ତୁମର ଭାଜନ ନୁହେଁ l ମୁଁ ଡରରେ ଆସି ସମୁଦ୍ର ମଧ୍ୟରେ ଘରକରି ରହୁଛି l ଆପଣଙ୍କ ଅନୁସାରେ ଏସବୁ ଠିକ,କିନ୍ତୁ ମୁଁ ଜାଣେ, ଆପଣ ହେଉଛନ୍ତି ସମସ୍ତ ପ୍ରାଣୀଙ୍କ ଆତ୍ମା l ଆପଣ ଆତ୍ମଜ୍ଞାନ ପ୍ରଦାନକାରୀ, ବିଶ୍ଵାତ୍ମା l ଆପଣ ସମସ୍ତ ଜଗତର ସ୍ବାମୀ l ଏହା ଜାଣି, ମୁଁ ଆପଣଙ୍କୁ ବରଣ କରିଛି l ତେଣୁ, ଏ ବିଦର୍ଭ କୁମାରୀ ଅଦୂରଦର୍ଶିନୀ ନୁହଁ l ଆପଣ ସର୍ଵ ଗୁଣାକାର ଓ ମୋକ୍ଷ ସ୍ଵରୂପୀ l
ଆପଣ ଲକ୍ଷ୍ମୀଙ୍କ ଆଶ୍ରୟସ୍ଥଳୀ l ଆପଣ ଇହଲୋକ ପର ଲୋକରେ, ମନୁଷ୍ୟର ସକଳ କାମନା ପୂରଣ କରିଥାନ୍ତି l ମୁଁ ଆପଣଙ୍କୁ ଜାଣିଛି ଓ ଅନୁରୂପ କର୍ମ ଅନୁସାରେ ବରଣକରିଛି l ଆପଣଙ୍କ ଚରଣକମଳ ସର୍ବଦା ମୋର ଆଶ୍ରୟ ହେଉ l
ଶ୍ରୀମଦ୍ ଭାଗବତରେ ଶୁକମୁନି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ଏହି ଦାମ୍ପତ୍ୟକଳହ କଥା ଶେଷକରି ପରୀକ୍ଷିତଙ୍କୁ କହିଲେ, ଭଗବାନ ଶ୍ରୀକୃଷ୍ଣ, ଜଗଦୀଶ୍ୱର ହେଲେ ମଧ୍ୟ ସେ ମନୁଷ୍ୟ ଦେହଧରି ମାନୁଷି ଗୃହସ୍ଥ ଲୀଳା କରି ଲକ୍ଷ୍ମୀସ୍ୱରୂପା ରୁକ୍ମିଣୀଙ୍କ ସହ ଆହାର ବିହାର କରୁ ଥିଲେ l ରୁକ୍ମିଣୀଙ୍କ ସହ ଭଗବାନ୍ ଶ୍ରୀକୃଷ୍ଣଙ୍କ ଏହି ଦାମ୍ପତ୍ୟ କଳହକୁ ବର୍ଣ୍ଣନା କରି ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ :-
ଶୁକ କହନ୍ତି ରାୟେ ଶୁଣ l
ଏମନ୍ତ କହି ନାରାୟଣ ll
ନିଜ ମହିମା ଆତ୍ମରତି l
ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.