ରେକର୍ଡ ଭାଙ୍ଗିଲା ଚଡ଼କ ପର୍ବ, ଲକ୍ଷେ ଟପିଗଲା ଭକ୍ତଙ୍କ ସଂଖ୍ୟା

ବାଲେଶ୍ବର :  ଶୋରିଷ ବୁଣିଲା ପରି ଏ ଦୃଶ୍ୟ । ବାବାଙ୍କ ଦୁଆରେ ଲକ୍ଷ ଲକ୍ଷ ଭକ୍ତ । ସବୁ ବର୍ଷକୁ ଟପିଗଲା ଚଳିତ ବର୍ଷ ଚନ୍ଦନେଶ୍ୱର ଚଡକ ପର୍ବର ଏ ଭିଡ଼ । ଇଏ  ବାଲେଶ୍ବର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ବର ମନ୍ଦିରର ଦୃଶ୍ୟ ।

ଚଡ଼କ ପର୍ବ ଆରମ୍ଭ ଠାରୁ ଏଠି ଭକ୍ତଙ୍କ ସଂଖ୍ୟା କେବେ ୧ ଲକ୍ଷ ହୋଇନଥିଲା । ହେଲେ ଏଇ ବର୍ଷ ସବୁ ରେକର୍ଡ ଭାଙ୍ଗି ୧ ଲକ୍ଷ ୧୭ ହଜାରେ ପହଞ୍ଚିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା । ଆଜି ୩ୟ ଅର୍ଘ୍ୟରେ ଶେଷ ପଇତା ଧାରଣ ପାଇଁ ସମୟ ରହିଥିବାବେଳେ ଆଗକୁ ଆହୁରି ଭିଡ଼ ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଗତକାଲି ସନ୍ଧ୍ୟାରେ ବାବାଙ୍କ ବିବାହ ପାଇଁ ରାକ୍ଷସୀ କାମିନୀଙ୍କ ସହ ସ୍ୱୀକୃତି ପର୍ବ ସରିଥିଲା । ଆଉ ଆଜି ନିମନ୍ତ୍ରଣ ଶେଷ ହୋଇଛି । ଆସନ୍ତାକାଲି ସକାଳେ ଶିବ ଓ କାମିନୀଙ୍କ ବାହାଘର ପାଇଁ ବାବାଙ୍କ ପୀଠରୁ ବାହାରିବ ବିରାଟ ଶୋଭାଯାତ୍ରା ।

ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୨ରୁ ଉର୍ଦ୍ଧ୍ବ ପ୍ଲାଟୁନ ପୋଲିସ ଫର୍ସ ମୁତୟନ କରାଯାଇଛି । ବିଶେଷ କରି ଅର୍ଘ୍ୟଦାନ ପରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଠେଲାପେଲା ସହ ଅଧିକ ଧସ୍ତାଧସ୍ତି ହୋଇଥାଏ । ଏଥିପାଇଁ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

ଚଡ଼କ ପର୍ବ ପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି । ତେଣୁ ଆନ୍ତଃରାଜ୍ୟ ଲୁଟେରାକୁ ରୋକିବା ପାଇଁ ମନ୍ଦିର ବାହାରେ ଓ ଭିତରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।

Comments are closed.