କଟକ: ଅଦାଲତଙ୍କ ନିର୍ଦେଶ ପାଳନରେ ଅବହେଳା ଏବଂ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ହାଇକୋର୍ଟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଅଦାଲତରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ପେନ୍ସନ ସମ୍ପର୍କିତ ଏକାଧିକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଜଷ୍ଟିସ୍ ବି.ପି. ରାଉତରାୟ ଏବଂ ଜଷ୍ଟିସ୍ ଏସ.କେ. ମିଶ୍ରଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଶଶିଭୂଷଣ ପ୍ରଧାନ ଏବଂ ଅନ୍ୟ କେତେଜଣ ପେନ୍ସନ ସୁବିଧା ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପୂର୍ବରୁ ଅଦାଲତ ପେନ୍ସନ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ପାଳନ ନ ହେବାରୁ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା। ଶୁଣାଣି ସମୟରେ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଥିଲା ଯେ, ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେମାନେ ସୁବିଧା ପାଇନାହାନ୍ତି। ସରକାରୀ ଓକିଲ ମଧ୍ୟ ସ୍ୱୀକାର କରିଥିଲେ ଯେ ଅଦାଲତଙ୍କ ନିର୍ଦେଶ ସମ୍ପୂର୍ଣ୍ଣ ଭାବେ ପାଳନ ହୋଇନାହିଁ। ଫଳରେ ଖଣ୍ଡପୀଠ କ୍ଷୁବ୍ଧ ହୋଇଥିଲେ। ଖଣ୍ଡପୀଠ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାକୁ ‘ଭ୍ରମାତ୍ମକ’ ବୋଲି କହିଛନ୍ତି। ଏହି କାରଣରୁ ପ୍ରମୁଖ ଶାସନ ସଚିବଙ୍କୁ ମେ’ ୧୪ରେ ଅଦାଲତରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦେଶ ଦିଆଯାଇଛି।
Comments are closed.