Sign in
Sign in
Recover your password.
A password will be e-mailed to you.
ବାଲେଶ୍ବର, ୧/୪(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ବିଦ୍ୟାଳୟ ଲାଇବ୍ରେରିଗୁଡିକର ବହିକିଣାରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ସମ୍ପର୍କରେ ଅଭିଯୋଗ କରାଯିବା ସହିତ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲାର ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ପାଠାଗାର ଉପଯୋଗୀ ପୁସ୍ତକ କ୍ରୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ସମ୍ପର୍କରେ ମଙ୍ଗଳବାର ଦିନ ବାଲେଶ୍ବରର ବିଦ୍ୟାଭାରତୀ ପ୍ରକାଶନୀ ସଂସ୍ଥା ପକ୍ଷରୁ ଷ୍ଟେସନ୍ କ୍ଲବ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ମୁଖ୍ୟ ଅଭୟ ଦାସ ଏହି ଅଭିଯୋଗ ଆଣିଛନ୍ତି।
ବହି କିଣିବା ପାଇଁ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଏପାଖସେପାଖ କରି ନିର୍ଦ୍ଦିଷ୍ଟ ସଂସ୍ଥାର ବହି କିଣିବାକୁ ସ୍କୁଲ ଗୁଡ଼ିକୁ ଅଘୋଷିତ ନିର୍ଦ୍ଦେଶ ଦିଆ ଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଲେଶ୍ବରର ସମସ୍ତ ବିଧାୟକ, ଜିଲ୍ଲାପାଳ, ଭିଜିଲାନ୍ସ ଏସ୍ପିଙ୍କୁ ମଧ୍ୟ ଅଭିଯୋଗପତ୍ର ସେ ପଠାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।
ଶ୍ରୀ ଦାସଙ୍କ ଅଭିଯୋଗ ଅନୁସାରେ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ୨୦୨୫ ସେପ୍ଟେମ୍ବର ୮ ତାରିଖରେ ରାଜ୍ୟର ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚବିଦ୍ୟାଳୟ ସ୍ତରୀୟ ପାଠାଗାର ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ କମ୍ପୋଜିଟ୍ ଗ୍ରାଣ୍ଟ୍ରୁ ଶତକଡା ୧୦ ଭାଗ ଅର୍ଥରେ ବହି କିଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି କରାଯାଇଥିଲା। ଏହି କ୍ରମରେ ବାଲେଶ୍ବର ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପୁସ୍ତକ ମନୋନୟନ ପ୍ରକ୍ରିୟାରେ ଏନ୍ବିଟି (ନେସନାଲ ବୁକ୍ ଟ୍ରଷ୍ଟ) ଏବଂ ଓଡ଼ିଶାର ବହୁ ପ୍ରକାଶକଙ୍କ ଅନେକ ବହି ଯୋଗାଇବାକୁ ବାଲେଶ୍ବର ପ୍ରକାଶକ ସଂସ୍ଥା ‘ବିଦ୍ୟାଭାରତୀ’ ପକ୍ଷରୁ ଏକ ତାଲିକା ଦାଖଲ କରାଯାଇଥିଲା।
ସମସ୍ତ ଆବେଦନାକାରୀଙ୍କ ମନୋନୟକ ପ୍ରକ୍ରିୟା ଶେଷ ହେବା ପରେ ୨୦୨୫ ନଭେମ୍ବର ୨୮ ତାରିଖରେ ୧୮ ପୃଷ୍ଠାର ଏକ ମନୋନୀତ ପୁସ୍ତକ ତାଲିକା ପ୍ରକାଶ ପାଇଥିଲା। ଏହି ଚୂଡ଼ାନ୍ତ ମନୋନୀତ ପୁସ୍ତକ ତାଲିକାରେ ‘ବିଦ୍ୟାଭାରତୀ’ ଦ୍ବାରା ଦାଖଲ କରା ଯାଇଥିବା ପୁସ୍ତକର ତାଲିକା ୧୧ ପୃଷ୍ଠାରେ ସ୍ଥାନ ପାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଚଞ୍ଚକତା ପୂର୍ବକ ପୁସ୍ତକ ତାଲିକାର କ୍ରମ ଅଲଗା ଅଲଗା କରାଯାଇ ଆଉ ଏକ ସ୍ବତନ୍ତ୍ର ତାଲିକାର ନକଲ ସମସ୍ତ ସ୍କୁଲକୁ ପଠା ଯାଇଥିବାର ଅଭିଯୋଗ କରିଛନ୍ତି ଶ୍ରୀ ଦାସ୍।
ସମୁଦାୟ ୧୮ ପୃଷ୍ଠା ତାଲିକା ମଧ୍ୟରୁ ମାତ୍ର ୭ ପୃଷ୍ଠାର ତାଲିକା ସମ୍ବଳିତ ପୁସ୍ତକ କିଣିବାକୁ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ ଗୁଡ଼ିକୁ ବାଧ୍ୟ କରୁଥିବା, ଅନ୍ୟ ବହି କିଣିଲେ ବିଲ୍ ପାସ୍ କରାନଯିବାର ଧମକ ଦେଇଥିବା ଶ୍ରୀ ଦାସ କହିଛନ୍ତି। ଫଳରେ ବିଦ୍ୟାଭାରତୀ ଦେଇଥିବା ତାଲିକାରୁ ଗୋଟିଏ ବି ବହି କିଣା ଯାଇନାହିଁ। ନିର୍ଦ୍ଦିଷ୍ଟ ସଂସ୍ଥା ଠାରୁ ମୋଟା ଅଙ୍କର ଅର୍ଥ ନେଇ ଏଭଳି କରାଯାଇଥିବା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏଥିରେ ସଂପୃକ୍ତ ନେଇ ଅଭିଯୋଗ ହୋଇଛି। ଏହି ଅନିୟମିତତା ଓ ଦୁର୍ନୀତି ସମ୍ପର୍କରେ ଅଧିକ ତଦନ୍ତ କରାଗଲେ ବର୍ଷ ବର୍ଷ ଧରି ବାଲେଶ୍ଵର ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅଳ୍ପ କେତେ ଜଣ ପ୍ରକାଶକଙ୍କ ନିର୍ଦିଷ୍ଟ କେତୋଟି ବହି ସ୍କୁଲ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସହଯୋଗରେ ଯୋଗାଇ ଦିଆଯାଇ କୋଟି କୋଟି ଟଙ୍କାର ଅର୍ଥ ହଡପ କରାଯାଉଥିବା ଆଶଙ୍କା କରିଛନ୍ତି ଶ୍ରୀ ଦାସ। ଏହି ଅନିୟମିତତା ବାବଦରେ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରି ଶ୍ରୀ ଦାସ କହିଛନ୍ତି ଯେ ଅବିଳମ୍ବେ ଏ ବିଷୟରେ ତଦନ୍ତ କରାନଗଲେ ଆଗାମୀ ଦିନରେ ଏକ ଗଣ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କବି ଓ ପ୍ରକାଶକ ଅଭୟ ଦାସ, ବରିଷ୍ଠ ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ପ୍ରତିମା ପଣ୍ଡା, ମନୋରଞ୍ଜନ ଦାସ, ଦେବାଶିଷ ପଣ୍ଡା, ବିଦ୍ୟାଧର ନାୟକ ଓ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
Comments are closed.