କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ

0

ଭୁବନେଶ୍ବର : କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା  ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା ଏବଂ ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା । ଏଥିସହ ଶ୍ରୀ ଭୋଳଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଶ୍ରୀ ଭୋଳ ଲକ୍ଷାଧିକ ଟଙ୍କା ବେଆଇନ କାରବାର କରିବା ସହ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଦଳ ତାଙ୍କ ବିରୋଧରେ ତଦନ୍ତ ଜାରି ରଖିଥିଲା। ମଙ୍ଗଳବାର ଶ୍ରୀ ଭୋଳ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଯାଉଥିବା ସମୟରେ ଭିଜିଲାନ୍ସ ଅଟକାଇଥିଲା। ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ନଗଦ ଅର୍ଥ ଜବତ କରିଥିଲା। ସମ୍ବଲପୁରରେ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କଲୋନୀ ବାସଭବନରେ ଚଢ଼ଉ କରିଥିଲା।

ସେଠାରୁ ମଧ୍ୟ ଅତିରିକ୍ତ ୫ ଲକ୍ଷ ୪୧ ହଜାର ୭୦୦ ଟଙ୍କା ମିଳିଥିଲା। ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ତାଙ୍କ ଭଉଣୀଙ୍କ ଘରେ ଚଢ଼ଉ କରି ଟଙ୍କା ଭର୍ତ୍ତି ଥିବା ୨ଟି ବଡ଼ ଟ୍ରଙ୍କ ପାଇଥିଲା। ଯେଉଁଥିରେ ପ୍ରାୟ ୭୦ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଲୁଚାଇ ରଖାଯାଇଥିଲା। ଜବତ ହୋଇଥିବା ବିପୁଳ ପରିମାଣର ଟଙ୍କା ଗଣିବା ପାଇଁ କ୍ୟାସ କାଉଣ୍ଟିଂ ମେସିନ ନିୟୋଜିତ କରାଯାଇଥିଲା। ତାଙ୍କ ଭଉଣୀ ଘରୁ ୩୪ ଲକ୍ଷ ୮୧ ହଜାର ଟଙ୍କା ମିଳିଥିଲା। ଭିଜିଲାନ୍ସ ସମ୍ବଲପୁର, ଭୁବନେଶ୍ୱର, ଗଞ୍ଜାମ ଓ ଭଞ୍ଜନଗର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା।

Leave A Reply

Your email address will not be published.