ମାର୍କ ବଢ଼ାଇବାକୁ ଚାହିଁଲେ ମିଳିବ ସୁଯୋଗ +୨ ପିଲା ଦେଇପାରିବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ମିଳିବ ମାର୍କ ବୃଦ୍ଧି ସୁଯୋଗ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କୁ ମାର୍କ ବଢ଼ାଇବାକୁ ଆଉଥରେ ସୁଯୋଗ ଦିଆଯିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କର ଗୋଟିଏ ବିଷୟରେ କମ୍‌ ମାର୍କ ରଖିଥିବେ ତେବେ ସେହି ବିଦ୍ୟାର୍ଥୀ ଆଉ ଥରେ ଉକ୍ତ ବିଷୟରେ ପରୀକ୍ଷା ଦେଇପାରିବେ। ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ସମୟରେ ହିଁ ସେମାନଙ୍କ ପରୀକ୍ଷା ହେବ ବୋଲି ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପରିଷଦର ନିୟମ ମୁତାବକ ପରୀକ୍ଷାର୍ଥୀ କେବଳ ଗୋଟିଏ ବିଷୟରେ
ଫେଲ୍‌ ହୋଇଥିଲେ ସେମାନଙ୍କୁ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବା ସୁଯୋଗ ଦିଆଯାଉଥିଲା।

ମାତ୍ର ଚଳିତ ଥର ମାର୍କ ବଢ଼ାଇବାକୁ ମଧ୍ୟ ସୁଯୋଗ ମିଳିବ। ପୂର୍ବରୁ ସ୍ନାତକ, ସ୍ନାତକୋତ୍ତରରେ ଏହି ସୁଯୋଗ ମିଳୁଥିବାବେଳେ ଏବେ +୨ରେ ଏହି ସୁବିଧା ଉପଲବ୍ଧ ହେବ। ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ଯେ ୭୫% ମାର୍କ ନ ଥିବାରୁ ବହୁ ସମୟରେ ପରୀକ୍ଷାର୍ଥୀ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିପାରୁନାହାନ୍ତି। ଆଇଆଇଟି ପରି ଶିକ୍ଷାନୁଷ୍ଠାନରେ ପାଠପଢାରେ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିର ରଖି ଛାତ୍ରଛାତ୍ରୀଙ୍କୁ ମାର୍କ ବୃଦ୍ଧି ପାଇଁ ସୁଯୋଗ ଦିଆଯିବ। ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ଏନେଇ ନିଷ୍ପତ୍ତି ହୋଇଥିଲା। ଏହା ୨୦୨୬ ବାର୍ଷିକ ପରୀକ୍ଷାରୁ ଲାଗୁ ହେବ। ନୂଆ ବ୍ୟବସ୍ଥା ମୁତାବକ ଛାତ୍ରଛାତ୍ରୀଙ୍କୁ ଭଲ ଡିଭିଜନ ମିଳିବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟକ ହେବ।

Comments are closed.